ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନନ୍ଦ ଦେଉନି ଶ୍ରୀଲିଙ୍ଗରାଜ ମନ୍ଦିରର ଆନନ୍ଦ ବଜାର !

ପୁରୁଣା ଭୁବନେଶ୍ୱର: ଅବଢ଼ା ତିଆରି ଓ ବିକ୍ରି ଦୃଷ୍ଟିରୁ ପୁରୀ ଶ୍ରୀମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ଆନନ୍ଦ ବଜାର ରାଜ୍ୟର ତୃତୀୟ ସର୍ବବୃହତ୍‌। କିନ୍ତୁ ଏହି ଆନନ୍ଦ ବଜାର ଏବେ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଜମାରୁ ଆନନ୍ଦ ଦେଉନି। ଏହାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଶ୍ରଦ୍ଧାଳୁ ନାକ ଟେକୁଛନ୍ତି। ଏତେ ବଡ଼, ଐତିହ୍ୟ ଓ ପୁରୁଣା ମନ୍ଦିରର ଆନନ୍ଦ ବଜାରର ଏ ଅବସ୍ଥା, ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି। ଅବଢ଼ା ବିକ୍ରି ଉପରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। ସ୍ଥିତି ଏମିତି ହୋଇଛି ଯେ ଗତ ୨ ବର୍ଷ ହେବ, ଆନନ୍ଦ ବଜାରରେ ଅବଢ଼ା ବିକ୍ରି ହୋଇପାରୁନି। ସୁଆର ସେବାୟତମାନେ ଆନନ୍ଦ ବଜାର ତଳେ ଜରିପାଲ ଟାଣି ଅସ୍ଥାୟୀ ଭାବେ ଅବଢ଼ା ବିକୁଛନ୍ତି।

ସୂଚନା‌ଯୋଗ୍ୟ, ୧୯୮୭ ମସିହାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହି ଆନନ୍ଦ ବଜାର ନିର୍ମାଣ କରାଯାଇଥିଲା। ଭୁବନେଶ୍ୱର ନଗରପାଳିକା ପକ୍ଷରୁ ଏଠାରେ ୧୦ଟି ଦୋକାନ ଘର ଓ ଏକ ବଡ଼ ପିଣ୍ଡି ତିଆରି ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍‍ଘାଟନ କରିଥିଲେ। ତେବେ ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଅବଢ଼ା ଦୋକାନ ଓ ଷ୍ଟୋର ରୁମ୍‌ଗୁଡ଼ିକ ଜରାଜୀର୍ଣ୍ଣ ହୋଇପଡ଼ିଲା। ଛାତରୁ ଛେଲା ଛାଡ଼ିଲା, ସାମାନ୍ୟ ବର୍ଷା ହେଲେ ପାଣି ଗଳିଲା। ଆନନ୍ଦ ବଜାର ଭୁଶୁଡ଼ିବା ଆଶଙ୍କା ଦେଖାଦେବାରୁ କିଛି ବର୍ଷ ତଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାର ପୁନରୁଦ୍ଧାର କରିବା ପାଇଁ ଚାହିଥିଲା।

୨ ବର୍ଷ ହେଲା ତଳେ ଚାଲିଛି ଅବଢ଼ା ବେପାର
ନବକଳେବରର ୬ମାସ ପରେ ଖସିଲା ପଥର
ଚଢ଼ିବାକୁ ପାହାଚ ସାଜିଛି କଣ୍ଟା

କିନ୍ତୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)ର ଅନୁମତି ନ ମିଳିବାରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ୱ ହୋଇଥିଲା। ପରେ ଏଏସ୍ଆଇ ଅନୁମତି ଦେବା ପରେ ୨୦୧୮ ମସିହାରେ ଶ୍ରୀଲିଙ୍ଗରାଜ ମନ୍ଦିର ଆନନ୍ଦ ବଜାର ଓ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ପ୍ରସାଦ ବିକ୍ରୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ପ୍ରାୟ ୨ କୋଟି ଟଙ୍କାରେ ହେବାକୁ ଥିବା ଏହି ପ୍ରକଳ୍ପକୁ ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଥିଲେ। ଆନନ୍ଦ ବଜାର ପୁନରୁଦ୍ଧାର କାର୍ଯ୍ୟ ଇନ୍‌ଟାକ୍‌ ଓ ଅନନ୍ତ ବାସୁଦେବ ମନ୍ଦିରର ପ୍ରସାଦ ବିକ୍ରୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଓଟିଡିସି ତତ୍ତ୍ୱାବଧାନରେ ହୋଇଥିଲା।

ଇନ୍‌ଟାକ୍‌ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ଆନନ୍ଦ ବଜାରରେ ଅବଢ଼ା ବିକ୍ରି ପାଇଁ ୯ଟି ଦୋକାନ ଓ ଷ୍ଟୋର୍‌ ରୁମ୍‌କୁ ମରାମତି କରାଯାଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଠାରେ ୬୦ ଲକ୍ଷ ଟଙ୍କା ବ୍ୟୟରେ କାମ ହୋଇଥିଲା। କାମ ସରିବା ପରେ ୨୦୧୯ ମସିହାରେ କାମ ସରିବା ପରେ ମନ୍ତ୍ରୀଙ୍କ ଦ୍ବାରା ଏହାର ଉଦ୍‌ଘାଟନ ମଧ୍ୟ ହେଲା। କିନ୍ତୁ ୬ମାସ ପରେ ଆନନ୍ଦ ବଜାର ଛାତରୁ ପଥର ଖଣ୍ଡ ଖସିଲା। ପ୍ରସାଦ ଖାଇବା ସ୍ଥାନ ଓ ଦୋକନଗୁଡ଼ିକରୁ ପଥର ଖସିବାରୁ ଅବଢ଼ା ବିକ୍ରି କରୁଥିବା ସୁଆର ସେବାୟତମାନେ ଦୂରରେ, ତଳେ ବସି ଅବଢ଼ା ବିକ୍ରି କରୁଛନ୍ତି। ପ୍ରାୟ ୨ ବର୍ଷ ହେଲା ଏମିତି ଅସ୍ଥାୟୀ ଭାବେ ଅବଢ଼ା ବିକ୍ରି ଚାଲିଛି।
ଏନେଇ ଅବଢ଼ା ବିକ୍ରି କରୁଥିବା ବ୍ୟବସାୟୀ କୁହନ୍ତି ଆନନ୍ଦ ବଜାରରୁ ପଥର ଛେଲା ଛାଡ଼ିଲା।

ସେଠାକୁ ଯିବା ପାଇଁ ଛୋଟ ଛୋଟ ପାହାଚ ବଡ଼ ସମସ୍ୟା କଲା। ଏଣୁ ତଳେ ବିକ୍ରି କରୁଛୁ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, କାମ ସରିବାର ୬ମାସ ପରେ ଆନନ୍ଦ ବଜାର ଉପରେ ବର୍ଷାପାଣି ଜମିଲା। କାମ କରିଥିବା ବିଭାଗକୁ ଖବର ଦେଇଥିଲୁ। କରୋନା କାଳରେ କେହି ଦେଖାଶୁଣା କଲେ ନାହିଁ। କରୋନା ଗଲା ପରେ ଆନନ୍ଦ ବଜାରରୁ ପଥର ଛେଲା ଛାଡ଼ୁଥିବାରୁ ସେଠାରେ ବେପାର ନକରି ତଳେ ବିକ୍ରି ହେଉଛି। ଏ ସଂପର୍କରେ ମନ୍ଦିର ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏଏସ୍ଆଇକୁ ଚିଠି କରାଯାଇଛି ବୋଲି କୁହାଯାଇଛି।

ଇନ୍‌ଟାକ୍‌ର ଭୁବନେଶ୍ବର ମୁଖ୍ୟ ମଲିକା ମିତ୍ର କହିଛନ୍ତି, ସେବେଠାରୁ କାମ ସରିଲାଣି, ପଥର ଛେଲା ଛାଡ଼ିବା କେହି ଜଣାଇ ନାହାନ୍ତି। ଜଣାଇଲେ, ପଦକ୍ଷେପ ନେବୁ। ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ ଦାୟିତ୍ବରେ ଥିବା ସୁଶାନ୍ତ ଗୋଚ୍ଛାୟତ କହିଛନ୍ତି, ଏଥିପାଇଁ ଏଏସ୍ଆଇ ପକ୍ଷରୁ ସ୍ବତନ୍ତ୍ର ବଜେଟ୍‌ କରାଯାଉଛି। ବଜେଟ୍‌ ଆସିବା ପରେ କାମ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।