ଭୁବନେଶ୍ବର : ରାଜ୍ୟରେ କିଛି ନୂଆ ଉଚ୍ଚ ସମ୍ବେଦନଶୀଳ ଗ୍ରୁପ୍(ଏଚ୍ଆରଜି) କ୍ଲଷ୍ଟର ଚିହ୍ନଟ ହୋଇଛି। ଗତ ୧ବର୍ଷ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଥିପାଇଁ ସର୍ବେକ୍ଷଣ କରାଯାଇଥିଲା। ଏଚ୍ଆଇଭି/ଏଡ୍ସର ସମ୍ବେଦନଶୀଳତା ଦୃଷ୍ଟିରୁ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଜିଲ୍ଲାସ୍ତରରେ ଥିବା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ)ର କମିଟି ଏହି କ୍ଲଷ୍ଟରର ବୈଧତା ବା ଭାଲିଡେସନ୍ ପରେ ଏହାକୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା(ନାକୋ)କୁ ପଠାଯିବ। ୨୦୦୮ ମସିହା ପରେ ରାଜ୍ୟରେ ଏଭଳି ଏଚ୍ଆର୍ଜି କ୍ଲଷ୍ଟରର ସର୍ବେକ୍ଷଣ ଅନୁଷ୍ଠିତ ହୋଇଛି।

ନାକୋ ପକ୍ଷରୁ ଦେଶର ସମସ୍ତ ରାଜ୍ୟରେ ଏଚ୍ଆରଜି ସର୍ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଥିଲା। ଗତବର୍ଷ ଜୁନ୍ଠାରୁ ଚଳିତବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଓଡ଼ିଶାରେ ତୃତୀୟ ପକ୍ଷ ଦ୍ବାରା ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିରେ ମହିଳା ଯୌନକର୍ମୀ(ଏଫ୍ଏସ୍ଡବ୍ଲୁ), ପୁରୁଷଙ୍କ ସହିତ ସଂପର୍କ ରଖୁଥିବା ପୁରୁଷ(ଏମ୍ଏସ୍ଏମ୍), ତୃତୀୟଲିଙ୍ଗୀ(ଟିଜି) ଓ ଇଞ୍ଜେକ୍ସନ୍ ଦ୍ବାରା ଡ୍ରଗ୍ ନେଉଥିବା ବ୍ୟକ୍ତି(ଆଇଡିୟୁ)ଙ୍କ ଉପରେ ଗୁରୁତ୍ବ ଦିଆଯାଇଛି। ମାତ୍ର ଟ୍ରକ୍ ଚାଳକ, ଦେଶାନ୍ତର ଶ୍ରମିକମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ନୂଆ ସର୍ବେକ୍ଷଣରେ ଏଚ୍ଆରଜି କ୍ଲଷ୍ଟରରେ କିଛିମାତ୍ରରେ ତୃତୀୟ ଲିଙ୍ଗୀମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏହି କ୍ଲଷ୍ଟର୍ ନାକୋର ଅନୁମୋଦନ ପାଇବା ପରେ ସଂପୃକ୍ତ ଏଚ୍ଆଇଭି ଆକ୍ରାନ୍ତମାନଙ୍କୁ ଓସାକ୍ସ ପକ୍ଷରୁ ପୂର୍ବରୁ କାର୍ଯ୍ୟ କରୁଥିବା ଟାର୍ଗେଟେଡ୍ ଇଣ୍ଟରଭେନସନ(ଟିଆଇ)ରେ ସେବା ଦିଆଯିବ ନା ନୂଆ ଟିଆଇ ନିଯୁକ୍ତ କରାଯିବ ତାହା ଉପରେ ନିଷ୍ପତ୍ତି ନିଆଯିବ।
ପ୍ରତି ୧୦ ହଜାରରେ ଚିହ୍ନଟ ହେଉଛନ୍ତି ୧୬ ଏଚ୍ଆଇଭି ଆକ୍ରାନ୍ତ
୨୦୩୦ ସୁଦ୍ଧା ୮୦% ନୂତନ ସଂକ୍ରମଣ ହ୍ରାସ ଉପରେ ଗୁରୁତ୍ବ
ଓସାକ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୦୮ ମସିହାରେ ୟୁଏନ୍ଡିପି ପକ୍ଷରୁ ରାଜ୍ୟରେ ଏଚ୍ଆରଜି କ୍ଲଷ୍ଟରର ସର୍ବେକ୍ଷଣ କରାଯାଇଥିଲା। ଏହା ପୂର୍ବରୁ ୨୦୦୬ ମସିହାରେ ମଧ୍ୟ କୋଲକାତାସ୍ଥିତ ଏକ ଏନ୍ଜିଓ ମଧ୍ୟ ଓଡ଼ିଶାରେ ଏଭଳି ସର୍ବେକ୍ଷଣ କରିଥିଲା।
ଅନ୍ୟପକ୍ଷରେ, ଆସନ୍ତାକାଲି ହେଉଛି ବିଶ୍ବ ଏଡ୍ସ ଦିବସ। ରାଜ୍ୟରେ ଚଳିତବର୍ଷ ଅକ୍ଟୋବରସୁଦ୍ଧା ୫୭,୩୫୯ ଏଚ୍ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଚିରାଚରିତ ଢଙ୍ଗରେ ୫୪,୦୭୩ ଆକ୍ରାନ୍ତ ଓ ଏଏନ୍ସି ଜରିଆରେ ୩୨୮୬ଜଣ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ, ରାଜ୍ୟରେ ୨୫-୪୯ ବର୍ଗର ୭୭ ପ୍ରତିଶତ ଯୁବପିଢ଼ି ଏଚ୍ଆଇଭିର ଶିକାର ହୋଇଛନ୍ତି। ୧୫-୨୪ ବର୍ଗର ୧୦ ପ୍ରତିଶତ, ୫୦ରୁ ଅଧିକ ୭ ପ୍ରତିଶତ ଓ ୧୪ବର୍ଷରୁ ୬ ପ୍ରତିଶତ ରହିଛନ୍ତି।
ଓସାକ୍ସର ଜଣେ ଅଧିକାରୀଙ୍କ ମତରେ ରାଜ୍ୟରେ ଏଚ୍ଆଇଭିର ସଂକ୍ରମଣ ହାର(ଟିପିଆର) ୧.୬ ପ୍ରତିଶତ ରହିଛି। ପ୍ରତି ୧୦ ହଜାର ଜନସଂଖ୍ୟାରେ ୧୬ଜଣ ଚିହ୍ନଟ ହେଉଛନ୍ତି। ଏହାସହ ମା’ଠାରୁ ଶିଶୁଙ୍କୁ ବ୍ୟାପୁଥିବା ଏଚ୍ଆଇଭି ହାର ୦.୦୩୧ ପ୍ରତିଶତ ରହିଛି। ତେବେ ପ୍ରତିବର୍ଷ ୨୦୦/୩୦୦ ଏଚ୍ଆଇଭି ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ୨୦୦୮ ମସିହାରେ ଏଆରଟି ସେଣ୍ଟରର ଆରମ୍ଭ ହୋଇଥିଲା। ତେଣୁ ତାହା ପୂର୍ବରୁ ଅଧିକ ସଂଖ୍ୟାରେ ଏଚ୍ଆଇଭି ଆକ୍ରାନ୍ତ ପ୍ରାଣ ହରାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍ଡିଜି) ୩.୧ରେ ୨୦୩୦ ସୁଦ୍ଧା ୮୦ ପ୍ରତିଶତ ପର୍ଯ୍ୟନ୍ତ ନୂତନ ଏଚ୍ଆଇଭି ସଂକ୍ରମଣକୁ ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ରାଜ୍ୟରେ ୯୫ ପ୍ରତିଶତ ଲୋକଙ୍କ ଏଚ୍ଆଇଭି ପରୀକ୍ଷା ସହିତ ଚିହ୍ନଟ ଶତ ପ୍ରତିଶତ ସଂକ୍ରମିତଙ୍କୁ ସେବା ଯୋଗାଇବା ଉପରେ ଓସାକ୍ସ ପକ୍ଷରୁ ଲକ୍ଷ୍ୟ ରହିଛି।