ଭୁବନେଶ୍ବର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରୁ ଏବେ ଶୀତ ହଜି ଯାଇଛି। ତେବେ ଆଜିଠାରୁ ପରିବର୍ତ୍ତନ ଦେଖାଦେବ। ଆସନ୍ତା ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଟିଟିଲାଗଡ଼ରେ ଗତକାଲି ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି (ସ୍ବାଭାବିକଠାରୁ ୭.୧ ଡିଗ୍ରି ଅଧିକ) ରହିଥିଲା। ସେହିପରି ଫୁଲବାଣୀରେ ୧୫.୫ ଡିଗ୍ରି (୬.୨ ଡିଗ୍ରି ଅଧିକ), ସମ୍ବଲପୁରରେ ୧୭.୮ ଡିଗ୍ରି (୫.୪ ଡିଗ୍ରି ଅଧିକ), ଭବାନୀପାଟଣାରେ ୧୭.୬ ଡିଗ୍ରି (୪.୩ ଡିଗ୍ରି ଅଧିକ) ଅଧିକ ରହିଥିଲା। କଟକରେ ସ୍ବାଭାବିକଠାରୁ ୨.୯ ଡିଗ୍ରି ଓ ଭୁବନେଶ୍ବରରେ ୨.୪ ଡିଗ୍ରି ଅଧିକ ରାତି ତାପମାତ୍ରା ରେକର୍ଡ ହୋଇଥିଲା। ଗୁରୁବାର ସକାଳୁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଦେଖାଯାଇଥିଲା।