ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ଚାଲିବ କାମ

ପୁରୀ: ହାଇକୋର୍ଟଙ୍କ ଆଦେଶ ପରେ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ତତ୍ପରତା ଦେଖାଇଛି। ନାଟମଣ୍ଡପର ଆବଶ୍ୟକ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ଏଏସ୍‌ଆଇକୁ ଏନ୍‌ଓସି ପ୍ରଦାନ କରିଛି। ସକାଳ ୬ଟାରୁ ରାତି ୧୦ଟା ଭିତରେ ମରାମତି କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଆସନ୍ତାକାଲିଠାରୁ ଭାରା ବନ୍ଧା ସହ ଅନ୍ୟାନ୍ୟ ପ୍ରାଥମିକ କାମ ଆରମ୍ଭ ହେବ। କାର୍ତ୍ତିକ ନୀତିକାନ୍ତି ଚାଲିଥିବାରୁ ଭିଡ଼ ଦେଖି ଏବେ କାମ ହେବ। କାର୍ତ୍ତିକ ମାସ ଓ ପଞ୍ଚୁକ ଶେଷ ପରେ ପୂର୍ଣ୍ଣମାତ୍ରାରେ କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ବୈଷୟିକ ଦଳ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ଓ ଏଏସ୍‌ଆଇ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନାଟମଣ୍ଡପ ମରାମତି ସହ ନୂଆ ପ୍ରଭା, ଗଜଦନ୍ତ ରତ୍ନ ପଲଙ୍କ ତିଆରି, ଦିବ୍ୟାଙ୍ଗ ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ପରେ ଶ୍ରୀ ଦାସ କହିଛନ୍ତି, ଆଜି ବୈଠକ କାରଣରୁ ନାଟମଣ୍ଡପ କାମ ଆରମ୍ଭ ହୋଇପାରିନି। ଆସନ୍ତାକାଲିଠାରୁ ନାଟମଣ୍ଡପର କ୍ରାକ୍‌ ବିମ୍‌ ମରାମତି ଆରମ୍ଭ ହେବ। ଏଏସ୍‌ଆଇ ଗରୁଡ଼ ସ୍ତମଠାରୁ ବିମ୍‌ ତଳେ ଯେଉଁଠି ଫାଟ ରହିଛି, ତା’ର ଯାଞ୍ଚ କରିବ। ବିମ୍‌ ତଳେ ୱାକିଂ ପ୍ଲାଟଫର୍ମ ତିଆରି ହେବ। ବର୍ତ୍ତମାନ କାର୍ତ୍ତିକ ନୀତି ଚାଲିଥିବାରୁ ୬ ଘଣ୍ଟା କାମ କରିବା ସମ୍ଭବପର ହେବନି। କିନ୍ତୁ କାର୍ତ୍ତିକ ନୀତି ସରିବା ପରେ ଏଏସ୍‌ଆଇ ପୂରା ଦମ୍‌ରେ କାମ କରିପାରିବ। ଯେହେତୁ ଭକ୍ତ ନିୟମିତ ଯା’ଆସ କରିବେ, ସେଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି। କମାଣ୍ଡର୍‌, ସୁପରଭାଇଜର୍‌ ଏଥିରେ ସହାୟତା କରିବେ। ମରାମତିର ସମସ୍ତ ପ୍ରକ୍ରିୟା ଶ୍ରୀମନ୍ଦିର ବୈଷୟିକ ଦଳ ଓ ସେବକ ପ୍ରତିନିଧିଙ୍କ ତତ୍ତ୍ବାବଧାନରେ କରାଯିବ। ନୀତିକାନ୍ତି ଯେଭଳି ବ୍ୟାହତ ନ ହେବ, ସେ ଉପରେ ସେମାନେ ନଜର ଦେବେ। ଆଜିର ବୈଠକରେ ଏଏସ୍‌ଆଇ ନାଟମଣ୍ଡପ କ୍ରାକ୍‌ ଫଟୋ ଦେଖାଇଛନ୍ତି, ଭର୍ଟିକାଲ୍‌ କ୍ରାକ୍‌ ହୋଇଛି। ଏହାକୁ ଛଡ଼େଇବା ପରେ ଫାଟ ସଂପର୍କିତ ଅଧିକ ତଥ୍ୟ ଜଣାପଡ଼ିବ। କାଲିଠୁ ଏଏସ୍‌ଆଇ ଭାରା ବାନ୍ଧିବା ଆରମ୍ଭ କରିବ ବୋଲି ଶ୍ରୀ ଦାସ କହିଛନ୍ତି।

ଶ୍ରୀ ଦାସ କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ପଲଙ୍କ ତିଆରି ଉପରେ ବି ଆଜି ବିସ୍ତୃତ ଆଲୋଚନା ହୋଇଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ଗଜଦନ୍ତ ରତ୍ନପଲଙ୍କ ଆସନ୍ତାକାଲିଠାରୁ ନିର୍ମାଣ ହେବ। ପୂର୍ବରୁ ଏହା ଶାଳ ଓ ଅନ୍ୟାନ୍ୟ କାଠରେ ନିର୍ମିତ ହୋଇଥିଲା। ଓଜନିଆ ଥିଲା ଓ ସେବକ ଉଠାଇବା କଷ୍ଟକର ଥିଲା। ଏବେ ଏହା ବର୍ମା ଟିକ୍‌ରେ ନିର୍ମାଣ ହେବ। ଯାହା ହାଲୁକା ଓ ଟେକିବାରେ ସହଜ ହେବ। ଏଭଳି ୩ଟି ପଲଙ୍କ ତିଆରି ହେବ। ଏହା ଉପରେ ନୂଆ ରୁପା ଲାଗିବ। ଜଣେ ଦାତା ଏହି ରୁପା ଦାନରେ ଦେଇଛନ୍ତି। ହାତୀଦାନ୍ତ ଯାହା ଲାଗିଥିଲା, ତାକୁ ପୁଣିଥରେ ବ୍ୟବହାର କରାଯିବ। କେବଳ କାଠ ଓ ରୁପା ନୂଆ ଲାଗିବ। ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ଠାକୁର ନୂଆ ପଲଙ୍କରେ ଶୟନ କରିବେ। ପ୍ରଭୁ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଶ୍ରୀଦେବୀ, ଅମାବାସ୍ୟ ଠାକୁର ପ୍ରଭୁ ନାରାୟଣ, ମାଧବଙ୍କ ପ୍ରଭା କ୍ଷତିଗ୍ରସ୍ତ ହୋଇଥିଲା। ରୁପା ଓ କାଠ ନଷ୍ଟ ହୋଇଯାଇଥିଲା। ସାତମୂର୍ତ୍ତିଙ୍କ ନୂଆ ପ୍ରଭା ନିର୍ମାଣ ହେବ। ପଣା ସଂକ୍ରାନ୍ତି ପୂର୍ବରୁ ଏହି କାମ ସରିବ ବୋଲି ଶ୍ରୀ ଦାସ କହିଛନ୍ତି। ଶ୍ରୀ ଦାସ କହିଛନ୍ତି, ମଠ ଉନ୍ନତୀକରଣ କାମ ଜାରି ରହିଛି। ମେ’ ମାସ ଭିତରେ କାମ ସରିଯିବ ବୋଲି ଆଶା କରୁଛୁ। ଓବିସିସି ଯେଉଁ ଡିଜାଇନ୍‌ ଦେଇଥିଲା, ସେହି ଅନୁସାରେ କାମ ଚାଲିଛି ବୋଲି ଶ୍ରୀ ଦାସ କହିଛନ୍ତି। ପାନ, ଗୁଟ୍‌ଖା ସଂପର୍କରେ ଶ୍ରୀ ଦାସ କହିଛନ୍ତି, ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯେଉଁମାନେ ପାନ, ଗୁଟ୍‌ଖା ଖାଇ ଆସିବେ, ସେମାନଙ୍କୁ ସେଦିନ ଛୁଟିରେ ଘରକୁ ପଠାଇ ଦିଆଯିବ। ବାକି ଶ୍ରୀମନ୍ଦିରରେ ଏହି ବ୍ୟବସ୍ଥା ଅନୁପାଳନ ପାଇଁ ଛତିଶାନିଯୋଗର ସହଯୋଗ ଲୋଡ଼ାଯାଇଛି। ଯେଉଁ ଯେଉଁ ଜାଗାରେ ପାନଛେପ ପଡ଼ୁଛି, ସେହି ଜାଗାରେ ସୁଦୃଶ୍ୟ ସାଇନ୍‌ବୋର୍ଡ଼ ଲଗାଯିବ। ଆମେ ଅର୍ଥଦଣ୍ଡକୁ ପ୍ରାଧାନ୍ୟ ନ ଦେଇ ସଚେତନତାକୁ ପ୍ରାଥମିକତା ଦେଉଛୁ ବୋଲି ଶ୍ରୀ ଦାସ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।