କଳା ଓ ସଂସ୍କୃତି ରାଜ୍ୟ

ଆଗେଇ ଚାଲିଛି ରଥ କାମ, ମୁହାଁଟି ଓ ଚଉତା ବିନ୍ଧ ଶେଷ

ପୁରୀ ୦୧।୦୬ : ମଙ୍ଗଳବାର ରଥ ଖଳାରେ ଗରଗରା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ତିନି ରଥ ପାଇଁ ୬ଗୋଟି ଗରଗରା କାଠ ରଖାଯାଇଥିଲା । ଏହାପରେ ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସୀରେ ହାଣି ଚଉପଟ ଆରମ୍ଭ କରିଛନ୍ତି । ପ୍ରତି ରଥରେ ଦୁଇ ଗୋଟି ଗରଗରା ଲାଗିଥାଏ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ପ୍ରାୟ ୧୩ ଫୁଟ୍‌ ଲମ୍ବର ଓଜନଦାର କାଠ ଗରଗରା । ଚକ ଓ ଅଖ ଗୁଡିକ ବିଶ୍ୱକର୍ମାମାନେ ମାଚୁପ କରି ରଥର ମୂଳଦୂଆ ପ୍ରସ୍ତୁତ କରିବେ । ଅଖ ଉପରେ ଦଣ୍ଡା ପଡିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ଏବେ ଯାଏଁ ତିନି ରଥର କାର୍ଯ୍ୟ ସମାନ ଭାବେ ଆଗେଇଚାୱଲିଛି ।

ସେହିପରି ଚଉତା କାଠରେ ବିନ୍ଧ ଓ ମୁହାଁଟି ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ଚାରି ନାହାକା ନିର୍ମାଣ ସରିଥିଲା । ଏବେ ଉଭୟ ପାର୍ଶ୍ୱରେ ସାଲ ହୋଇଛି । ବିଶ୍ୱକର୍ମାମାନେ ଉପରେ ଓ ନିମ୍ମ ଅଂଶରେ ସାଲ କରିଛନ୍ତି । ଚାରିନାହାକା ନିମ୍ନ ସାଲ ଗରଗରାର ବିନ୍ଧରେ ଭୁଞ୍ଜଯିବ । ଉପର ସାଲରେ ରହିବ ଭୂଇଁ କାଠ ।

ଅଖ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ଚକ ତିନୋଟି ପାଇଁ ପହିକୁ ଅପେକ୍ଷା ରହିଛି । ପୋଲ ଗୟଳ ଚିରଟ ହୋଇ ଚଉପଟ ପାଇଁ ଅପେକ୍ଷା ରହିଛି । ଓରାରେ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର, କରତି, କମାର ନିଜ ନିଜ କାର୍ଯ୍ୟରେ ଲାଗିପଡିଛନ୍ତି ।

ରଥ ଅମିନ ଯୋଗାଡିବାରେ ବ୍ୟସ୍ତ । ଭୋଇ ସେବକ ବିଶ୍ୱକର୍ମାଙ୍କ ପରାମର୍ଶ ଅନୁସାରେ କାଠ ଯୋଗାଉଛନ୍ତି । ରଥ ଖଳାରେ ସାଲଗୁଜରେ ରୂପ ଖୋଦେଇ ଶେଷ କରି ତୀଖ ଗୁଜରେ ରୂପକାର୍ଯ୍ୟ ଆରମ୍ଭ କରିଛନ୍ତି ରୂପକାର ସେବକ । ସିଂହବିରାଳ ମୂର୍ତ୍ତି ଖୋଦେଇ ଚାଲିଛି । ଦୋଳବେଦୀ ପରିସରରେ ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ତତ୍ୱାବଧାନରେ ଚାଲିଛି ଗୟଳ କାମ ।

ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଗୟଳ କଣ୍ଟା, ଛନ୍ଦା ଗୟଳ କଣ୍ଟା, ଗରଗରା କଣ୍ଟା ତିଆରି କରୁଛନ୍ତି । ମଙ୍ଗଳବାର ଦିନ ରଥ ନିର୍ମାଣ କାମରେ ୭୭ ଜଣ ବିଶ୍ୱକର୍ମା, ୭୭ଜଣ ଭୋଇ ସେବକ , ୧୮ ଜଣ ରୂପକାର , ଜଣେ ବିନ୍ଧ କାରଗର, ୨ଜଣ ପହି ମହାରଣା, ୧୬ ଜଣ କମାର ସେବକ, ୪ଜଣ କରତି ସେବକ, ଜଣେ ସହାୟକଙ୍କ ସମେତ ମୋଟ ୧୯୬ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,