ଭୁବନେଶ୍ବର: ୨୦୨୩-୨୪ ବର୍ଷ ଲାଗି ରାଜ୍ୟ ସରକାର ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ଏକ ବିଶାଳ ବଜେଟ୍ ପ୍ରସ୍ତୁତ କରିଛନ୍ତି। ପ୍ରଥମ ତିନିମାସରେ ୧୪.୬୩% ଅର୍ଥାତ୍ ୧୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ ନିକଟରେ ରାଜ୍ୟ କ୍ୟାବିନେଟ୍ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ମୋହର ଲଗାଇଛନ୍ତି, ଯେଉଁଥିରେ ୪ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ପ୍ରତି ପଞ୍ଚାୟତରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ଲାଗି ବ୍ଲକସ୍ତରରେ ତନାଘନା ହେଲାଣି। ଏହାକୁ ‘ଗେମ୍ ଚେଞ୍ଜର’ ବୋଲି କୁହାଯାଉଛି। କେବଳ ଏତିକିରେ ସରକାର ଅଟକି ନାହାନ୍ତି। ୫-ଟିରେ ପ୍ରତି ବ୍ଲକ ଅନ୍ତର୍ଗତ ଅଞ୍ଚଳର ବିଭିନ୍ନ ବିକାଶ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପରେ ମୋହର ଲାଗିଛି ଓ ନିଜେ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଜିଲ୍ଲା ଗସ୍ତ କରି ବିଶାଳ କାର୍ଯ୍ୟକ୍ରମ ଜରିଆରେ ଏସବୁ ଘୋଷଣା କରୁଛନ୍ତି। ଲୋକ ସମର୍ଥନ ଗୋଟାଇବା ଲାଗି ସରକାର ନିକଟରେ ନେଇଥିବା ପଦକ୍ଷେପ ତାଲିକା ଦେଉଥଲେ, ଏମିତି ଲମ୍ବୁଥିବ।
ହେଲେ ହଠାତ୍ ଏମିତି କି ଜରୁରୀ ପରିସ୍ଥିତି ଉପୁଜିଲା ଯେ ସରକାର ଏବେଠାରୁ ଅତିରିକ୍ତ ବଜେଟ୍ ପାଇଁ ପାଗ ଭିଡ଼ିଲେଣି? ମୌସୁମୀ ଅଧିବେଶନରେ ପ୍ରସ୍ତାବିତ ଅତିରିକ୍ତ ବଜେଟ୍ ଉପସ୍ଥାପନ ପାଇଁ ଉଭୟ ଅର୍ଥ ବିଭାଗ ଓ ଉନ୍ନୟନ କମିସନର ପ୍ରସ୍ତାବ ଆଧାରରେ ଜୁଲାଇ ୩୧ ତାରିଖ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବାକୁ କାହିଁକି କୁହାଗଲା? ଏଭଳି ପ୍ରଶ୍ନ ଏବେ ଅର୍ଥନୀତିଜ୍ଞ ଠାରୁ ଆରମ୍ଭ କରି ରାଜନୈତିକ ସମୀକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆନ୍ଦୋଳିତ କଲାଣି। ପ୍ରଥମ ତିନି ଚାରିମାସର ଗୋଟିଏ ଅସ୍ପଷ୍ଟ ଚିତ୍ରକୁ ଧରି
ସରକାର ପୂରା ବର୍ଷ ଲାଗି ପୁଣି କାହିଁକି ଗୋଟିଏ ହିସାବ ନିକାସ କରିବାକୁ ଚାହିଁଲେ?
ଅର୍ଥନୀତି ବିଶେଷଜ୍ଞମାନେ ସରକାରଙ୍କ ଏଭଳି ନିଷ୍ପତ୍ତିରେ ତାଜୁବ୍। ଅର୍ଥ ବିଭାଗ ଦାୟିତ୍ବରେ ଥିବା କିଛି ବରିଷ୍ଠ ପ୍ରଶାସକଙ୍କର ଯୁକ୍ତି ହେଉଛି ଯେ ରାଜ୍ୟରେ ଏଫ୍ଆର୍ବିଏମ୍ ଆଇନ ଲାଗୁ ହେବା ପରଠାରୁ ଦ୍ବିତୀୟ ଅତିରିକ୍ତ ବଜେଟ୍ ସୁଯୋଗ ଆଉ ନାହିଁ। ଏଣୁ ସରକାର ପ୍ରତିବର୍ଷ ନଭେମ୍ବର-ଡିସେମ୍ବରରେ ଅତିରିକ୍ତ ବଜେଟ୍ ଆଗତ କରି ବଳକା ୩ମାସ ପାଇଁ ଆବଶ୍ୟକ ଯୋଜନା ଓ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରି ଆସୁଛନ୍ତି। ଏବେ ଯଦି ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ହେଉଛି, ତା ଅର୍ଥ ବୁଝିବାକୁ ହେବ ଯେ ଏହି ଆର୍ଥିକ ବର୍ଷରେ ଆଉ ଦ୍ବିତୀୟ ଅତିରିକ୍ତ ବଜେଟ୍ ଆସିପାରିବ ନାହିଁ। ଏହି ମହଲ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ ୨୦୨୪ରେ ସାଧାରଣ ନିର୍ବାଚନ ହେବ। ଏଣୁ ରାଜ୍ୟ ସରକାର ନଭେମ୍ବର-ଡିସେମ୍ବରରେ ଅତିରିକ୍ତ ବଜେଟ୍ କରି ନିର୍ବାଚନ ପୂର୍ବରୁ ନିଜ ସପକ୍ଷରେ ଗୋଟିଏ ବାତାବରଣ ସୃଷ୍ଟି କରିଥାନ୍ତେ। ଏମିତିରେ ବି ୨୦୨୪-୨୫ ବର୍ଷର ପ୍ରଥମ ଚାରିମାସ ଲାଗି କେବଳ କାମଚଳା ବଜେଟ୍ ଆଗତ କରିବାକୁ ହେବ। ଅତଏବ, ସରକାର ଏବେଠାରୁ ବଜେଟ୍ ଉପସ୍ଥାପନ କରି ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ସେ ହାଵାକୁ ବଳବତ୍ତର କରି ରଖିବା କଷ୍ଟସାଧ୍ୟ ହୋଇପାରେ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସ୍ବର ମିଳାଇ କହିବା ଆରମ୍ଭ କଲେଣି ଯେ ଆସନ୍ତା ଡିସେମ୍ବର ଓ ଜାନୁଆରି ମାସରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଯିବା ଏବେ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତା’ ଠାରୁ ଆହୁରି ବଡ଼ ଆହ୍ବାନ ଏବେ ଓଡ଼ିଶା ପାଇଁ ଛିଡ଼ା ହୋଇଛି। ଏଠାରେ ବିରୋଧୀ ବିଭାଜିତ ହୋଇ ଅଛନ୍ତି ଓ ଶାସକ ଦଳର ଆଭ୍ୟନ୍ତରୀଣ କନ୍ଦଳ ଧୀରେ ଧୀରେ ପଦାକୁ ଆସିଲାଣି। ଏମିତିରେ ଖରାଦିନରେ ମୁଖ୍ୟମନ୍ତ୍ରୀ ପୂରା ଓଡ଼ିଶା ବୁଲି ନିର୍ବାଚନ ପ୍ରଚାର କରିବା କାଠିକର ପାଠ। ଓଡ଼ିଶା ସରକାର ଆଗୁଆ ବିଧାନସଭା ଭାଙ୍ଗି ନିର୍ବାଚନ କରିପାରିବେ। ଏଣୁ ଯଦି କେନ୍ଦ୍ର ଆଗୁଆ ନିର୍ବାଚନକୁ ଗଲା ତ ଗଲା, ଅନ୍ୟଥା ଓଡ଼ିଶା ଯଦି ଏହି ପାଞ୍ଚଟି ରାଜ୍ୟ ସହିତ ଏକାଠି ନିର୍ବାଚନକୁ ଯିବ, ତେବେ ବିଜେଡି ପାଇଁ ଲାଭ ହିଁ ଲାଭ। ପ୍ରଥମତଃ, ବିରୋଧୀ ନିର୍ବାଚନ ମନସ୍କନାହାନ୍ତି। ଦ୍ବିତୀୟତଃ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟରେ ବିଜେପି ଦୁର୍ବଳ ଅବସ୍ଥାରେ ରହିଛି। ଉଭୟ ଚିତ୍ର ବିଜେଡିକୁ ସୁହାଇବ। ଏଣୁ ରାଜ୍ୟ ସରକାର ଆଗୁଆ ନିର୍ବାଚନକୁ ଆଖେଇଲେଣି ଏବଂ ଏବେ ୫-ଟି ସଚିବଙ୍କ ତୋଫାନୀ ଗସ୍ତ ମଧ୍ୟ ଗୋଟିଏ ସଙ୍କେତ ବୋଲି କୁହାଯାଇପାରେ। ଆଗୁଆ ବଜେଟ୍ ଉପସ୍ଥାପନ ଲାଗି ସରକାର ଯେଭଳି ଅଣ୍ଟା ଭିଡ଼ିଲେଣି, ତାହା ଏହି ଚର୍ଚ୍ଚାକୁ ବଳ ଦେଉଛି ଓ ସନ୍ଦେହ ବଢ଼ିଲାଣି ଯେ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।
ଅନ୍ୟ ଗୋଟିଏ ଗୋଷ୍ଠୀ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବକ୍ତବ୍ୟକୁ ଗମ୍ଭୀର ଭାବେ ନେଉଛନ୍ତି। ସଂପ୍ରତି ବିଜେପିର କେନ୍ଦ୍ରୀୟ ନେତା ଏବଂ ଓଡ଼ିଶାର ଶାସକ ଦଳ ଅର୍ଥାତ୍ ବିଜେଡି ମଧ୍ୟରେ ଦୂରତା ସେତେ ବେଶି ନାହିଁ। ଅନାସ୍ଥା ପ୍ରସଙ୍ଗରେ ଯେବେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଅକଳରେ ଅଛନ୍ତି, ସେବେ ବିଜେଡିର ଖୋଲା ସମର୍ଥନ ସ୍ପଷ୍ଟ କରିଦେଇଛି ଯେ ଉଭୟ ଦଳ ମଧ୍ୟରେ ବୁଝାମଣା ଅଛି ହିଁ ଅଛି। ଏଣୁ ଓଡ଼ିଶା ଯଦି ଆଗୁଆ ନିର୍ବାଚନ ପାଇଁ ଯାଏ, କେନ୍ଦ୍ର ବାଧକ ସାଜିବା ସମ୍ଭାବନା କ୍ଷୀଣ। ଏବଂ କେନ୍ଦ୍ରରୁ ଅତ୍ୟନ୍ତ ସ୍ପଷ୍ଟ ସଙ୍କେତ ପାଇବା ପରେ ହିଁ ମନମୋହନ ଅତି ଦୃଢ଼ତାର ସହିତ ଏଭଳି ଯୁକ୍ତି ରଖିପାରୁଛନ୍ତି।
ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜୁ ଜନତା ଦଳର ସର୍ଭେ ମଧ୍ୟ ଆଗୁଆ ନିର୍ବାଚନ ସପକ୍ଷରେ ମତ ରଖୁଛି। ଇତିମଧ୍ୟରେ ବିଜେଡିର ସବୁ ନିର୍ବାଚନମଣ୍ଡଳୀଵାରି ସର୍ଭେ ଦଳୀୟ ନେତା କେବଳ ସାରିଛନ୍ତି ଓ ନିଜେ ମୁଖିଆ ନବୀନ ପଟ୍ଟନାୟକ ଦଳର ୮୦ରୁ ଅଧିକ ନେତାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ସାରିଛନ୍ତି। ଯେଉଁସବୁ ଆସନରେ ବିଜୟ ସମ୍ଭାବନାକୁ ନେଇ ଆଶଙ୍କା ରହିଛି, ସେସବୁ ଅଞ୍ଚଳର ନେତାଙ୍କୁ ନିର୍ବାଚନମଣ୍ଡଳୀମନସ୍କ ହେବାକୁ କହିଦିଆଯାଇଛି। ଅର୍ଥାତ୍ ସେମାନେ ଯଦି ନିର୍ବାଚନମଣ୍ଡଳୀରେ ସେମାନଙ୍କ ସ୍ଥିତି ସଜାଡ଼ି ନ ପାରନ୍ତି, ତେବେ ଚିତ୍ର ଭିନ୍ନ ହୋଇପାରେ। ଅବଶ୍ୟ କେହି କେହି ଏହାକୁ ଟିକେଟ୍ ନିଶ୍ଚିତ ବୋଲି ଧରିନେଇଛନ୍ତି ଓ ତାଙ୍କୁ ଗ୍ରିନ୍ ସିଗ୍ନାଲ୍ ବା ସବୁଜ ସଙ୍କେତ ମିଳିଯାଇଥିବା ଗପିବା ଆରମ୍ଭ କରିଛନ୍ତି। ସେହିଭଳି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପରିବର୍ତ୍ତନ ଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ ସଂଗଠନ ପୁନର୍ବିନ୍ୟାସ ଓ ଦଳର ସାଗଂଠନିକ ଘର ସଜଡ଼ା କାର୍ଯ୍ୟକ୍ରମ ସବୁ ଆଗୁଆ ନିର୍ବାଚନ ଚର୍ଚ୍ଚା ଆଲୋଚନା ସପକ୍ଷରେ ଯାଉଛି।
ଉଲ୍ଲେଖଥାଉକି, ନିର୍ବାଚନ ରାଜନୀତିରେ ନବୀନଙ୍କ ପଟୁତା ଅନ୍ୟ ସବୁ ରାଜନୈତିକ ଦଳକୁ ପଛରେ ପକାଇ ଦେଇଛି। ପୂର୍ବରୁ ମଧ୍ୟ ସେ ଅତି ତିରୋଟ ସମୟରେ ଅର୍ଥାତ୍ ୨୦୦୪ରେ ଆଗୁଆ ନିର୍ବାଚନ ନିଷ୍ପତ୍ତି ନେଇଥିଲେ। ସେବେ ବିଧାନସଭା ଭାଙ୍ଗି କେନ୍ଦ୍ର ସରକାରଙ୍କ ସହିତ ଯିବା ଫଳରେ ରାଜ୍ୟରେ ସେ ସମୟରେ ସଶକ୍ତ ହୋଇ ଆସୁଥିବା କଂଗ୍ରେସକୁ ଜବରଦସ୍ତ ଝଟ୍କା ଲାଗିଥିଲା।