ଭୁବନେଶ୍ବର ପଟିଆସ୍ଥିତ ଜେଡ୍-ୱାନ୍ ଆବାସିକ କଂପ୍ଲେକ୍ସରେ ସ୍ପୋର୍ଟସ୍ ଏରେନା ‘କ୍ଲବ୍ ଅମ୍ବର’କୁ ଉଦ୍ଘାଟନ କରିବା ଅବସରରେ ଟେନିସ୍ କିଂବଦନ୍ତି ଲିଆଣ୍ଡର୍ ପେସ୍ଙ୍କ ସହ ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସ୍ବଳ୍ପ ଆଳାପ…
ପ୍ର: ଓଡ଼ିଶା ଆପଣଙ୍କର ଅନ୍ୟତମ ପସନ୍ଦର ରାଜ୍ୟ। ଓଡ଼ିଶା ତଥା ଭୁବନେଶ୍ବର ସହ ଆପଣଙ୍କ ସମ୍ବନ୍ଧ କେତେ ଭଲ?
ଉ: ଭୁବନେଶ୍ବର ମୋର ଅନ୍ୟତମ ପ୍ରିୟ ସହର ଏଥିପାଇଁ ଯେ ଏଠି ସବୁ ବ୍ୟବସ୍ଥିତ। ସହରର କଳେବର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ପରିଷ୍କାର-ପରିଚ୍ଛନ୍ନତା ମୋତେ ସବୁବେଳେ ଆକର୍ଷିତ ଓ ଆଶ୍ଚର୍ଯ୍ୟ କରେ। ଏଠାରେ କ୍ରୀଡ଼ା ଭିତ୍ତିଭୂମି ବି ବହୁତ ଭଲ। ଓଡ଼ିଶା ଯେଭଳି ସଫଳ ଭାବେ ହକି-ବିଶ୍ବକପ୍ ଆୟୋଜନ କଲା, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀପ ତିର୍କୀ, କ୍ରୀଡ଼ା ମନ୍ତ୍ରୀ ଓ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ଉଦ୍ୟମ ନିହାତି ଭାବେ ପ୍ରଶଂସନୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ଅନ୍ୟତମ ପ୍ରିୟ ମୁଖ୍ୟମନ୍ତ୍ରୀ। ତାଙ୍କର ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଓ ତାକୁ କାର୍ଯ୍ୟକାରୀ କରାଇବା ଦିଗରେ ପଦକ୍ଷେପ ମୋତେ ଭଲ ଲାଗେ। ତେଣୁ, ଭୁବନେଶ୍ବରକୁ ପୁଣିଥରେ ଆସିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି।
ପ୍ର: ଆପଣ ଉଦ୍ଘାଟନ କରିଥିବା ଜେଡ୍-୧ ଇଷ୍ଟେଟ୍ର ସ୍ପୋର୍ଟସ୍ କଂପ୍ଲେକ୍ସ ସଂପର୍କରେ କ’ଣ କହିବେ?
ଉ: ଗୋଟିଏ ଆବାସିକ ସୋସାଇଟି କିଭଳି ହେବା ଉଚିତ, ଜେଡ୍-୧ ଇଷ୍ଟେଟ୍ ସାରା ଦେଶ ପାଇଁ ଗୋଟିଏ ପ୍ରମୁଖ ଉଦାହରଣ। ଲୋକଙ୍କୁ ଘର ଓ ଆନୁଷଙ୍ଗିକ ସୁବିଧା ଦେବା ପାଇଁ ବିଲଡର୍ ସଂସ୍ଥାଗୁଡ଼ିକ ଇଞ୍ଚେ ଇଞ୍ଚେ ଜାଗାକୁ ନେଇ ବଡ଼ ସଂଘର୍ଷ କରନ୍ତି। ଅଳ୍ପ ସ୍ଥାନରେ ସବୁ ସୁବିଧା ଖଞ୍ଜି ଦେବାର ସେମାନଙ୍କର ବିଫଳ ଉଦ୍ୟମ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। କିନ୍ତୁ ଏ ଦୃଷ୍ଟିରୁ ଜେଡ୍-୧ ଭିନ୍ନ। ଏଠାରେ ଲୋକଙ୍କ ପାଇଁ ସବୁପ୍ରକାର ସୁବିଧା କରାଯାଇଛି। ଗୋଟିଏ ଆବାସିକ ସୋସାଇଟିରେ ରହିବା, ଖେଳିବା, ମନୋରଂଜନ ପାଇଁ ଯେତିକି ଯେତିକି ସ୍ଥାନ ରହିବା କଥା, ତାହା ଜେଡ୍-୧ରେ ରହିଛି। ବିଶେଷକରି କରୋନା ପରେ ମେଦବହୁଳତା, ଡାଇବେଟିସ୍, ମାନସିକ ଅସୁସ୍ଥତା ଆଦି ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଭାରତର ରେକର୍ଡ ଭଲ ନୁହେଁ। ଏ କ୍ଷେତ୍ରରେ କ୍ରୀଡ଼ା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଖେଳ ଲୋକଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରଖିବା ସହ ବ୍ୟକ୍ତିତ୍ବ ବିକାଶରେ ସହାୟକ ହୋଇଥାଏ।
ପ୍ର: ଫିଟ୍ ରହିବା ପାଇଁ ଲୋକେ ନିଜ ଜୀବନଶୈଳୀରୁ ବିଭିନ୍ନ ପ୍ରକାର ଖାଦ୍ୟକୁ ବାଦ୍ ଦିଅନ୍ତି। ସେ ଦୃଷ୍ଟିରୁ ଆପଣ ଭିନ୍ନ। ଆପଣ ଫିଟ୍, ଏଥିରେ ଦ୍ବିରୁକ୍ତି ନାହିଁ। କିନ୍ତୁ ଗତଥର ‘ସମ୍ବାଦ’ କାର୍ଯ୍ୟକ୍ରମକୁ ଆସିବା ବେଳେ ଭାତ, କଙ୍କଡ଼ା ଝୋଳ ଖାଇଥିଲେ। ଭାତ ଖାଇଲେ ଓଜନ ବଢ଼େ ବୋଲି ଲୋକଙ୍କ ଧାରଣା ରହିଛି। ଏ ବାବଦରେ କ’ଣ କହିବେ ଏବଂ ଓଡ଼ିଶାର ଖାଦ୍ୟ ପ୍ରତି ଆପଣଙ୍କର କେତେ ରୁଚି ରହିଛି?
ଉ: ମୁଁ ଭାରତୀୟ, ତେଣୁ ଖାଦ୍ୟପ୍ରିୟ ହେବା ସ୍ବାଭାବିକ। ମୋ ଜେଜେ ମା’ଙ୍କ ହାତରନ୍ଧା ଭାରି ବଢ଼ିଆ। ମୁଁ ବି ତାଙ୍କ ସାଙ୍ଗେ ରୋଷେଇ କରିବାକୁ ଭଲ ପାଏ। ମୁଁ ଭାରତୀୟ ଖାଦ୍ୟଠାରୁ ଆରମ୍ଭ କରି ଜାପାନୀ, ଥାଇ ଖାଦ୍ୟ ରାନ୍ଧିପାରେ। ଏସବୁ ରୋଷେଇବିଦ୍ୟା, ସାରା ବିଶ୍ବ ବୁଲିବାରୁ ଆସିଛି। ୩୧ବର୍ଷ ଧରି ମୁଁ ବିଶ୍ବର ବିଭିନ୍ନ ଦେଶ ଭ୍ରମଣ କରିଛି। ସେଠାରେ ରହିଛି, ସେଠାକାର ଖାଦ୍ୟ ଖାଇଛି। ଭାରତୀୟମାନଙ୍କର ଗୋଟିଏ ଭଲ ଗୁଣ, ଆମେ ସବୁ କିଛି ଶୀଘ୍ର ଶିଖିଯାଉ। ତେଣୁ ମୁଁ ଯେତେବେଳେ ଯୋଉ ଦେଶକୁ ଯାଏ, ସେଠାକାର ଆଞ୍ଚଳିକ ଖାଦ୍ୟ ରାନ୍ଧିବା ପ୍ରକ୍ରିୟା ଶିଖିବାକୁ ଚେଷ୍ଟା କରିଥାଏ। ଓଡ଼ିଶା ଆସି ମୁଁ ବହୁତ ଖୁସି। ମୋନିକା ଏବଂ କୁଲିଆ ପଟ୍ଟନାୟକ ମୋ ଘନିଷ୍ଠ ବନ୍ଧୁ। କୁଲିଆ ବହୁତ ଭଲ ରୋଷେଇ କରନ୍ତି। ମୁଁ ଭଲପାଏ ସେମାନଙ୍କ ସହ ସମୟ ବିତାଇବା ପାଇଁ। ଓଡ଼ିଶାର ଇତିହାସ, ଜନଜୀବନ, ସଂସ୍କୃତି ସଂପର୍କରେ ମୁଁ ସେମାନଙ୍କଠାରୁ ନୂଆ ନୂଆ କଥା ଶୁଣିବାକୁ ପାଏ। ଭୁବନେଶ୍ବରର ଜଳବାୟୁ ବହୁତ ଗରମ ହୋଇପାରେ କିନ୍ତୁ ଏଠାକାର ଲୋକଙ୍କ ଜୀବନଶୈଳୀର ମାନ ମୋତେ ବହୁତ ଭଲ ଲାଗେ।
ପ୍ର: ଆପଣଙ୍କ ପ୍ରଶଂସକ ଓ ଟେନିସ୍ପ୍ରେମୀଙ୍କ ପାଇଁ କ’ଣ କହିବେ?
ଉ: ମୁଁ କଠିନ ପରିଶ୍ରମରେ ବିଶ୍ବାସ ରଖେ। ମୋ ମା’ ଭାରତୀୟ ବାସ୍କେଟ୍ବଲ୍ ଟିମ୍ର କ୍ୟାପଟେନ୍, ବାପା ବି ଅଲିମ୍ପିକ୍ ମେଡାଲ ବିଜେତା। ତେଣୁ ଛୋଟବେଳୁ ମୋ ଉପରେ ସ୍ବତଃପ୍ରବୃତ୍ତ ଭାବେ ଗୋଟିଏ ଚାପ ତିଆରି ହୋଇସାରିଥିଲା। କିନ୍ତୁ ଆଗକୁ ବଢ଼ିବାରେ ମୋ ପରିବାର ମୋତେ ବହୁତ ସାହାଯ୍ୟ କରିଛି। ଏବେ ସମୟ ଆସିଛି ସମାଜ ପାଇଁ କିଛି କରିବାକୁ। ମୁଁ ବିଶ୍ବର କୌଣସି ଜାଗାରେ ବି ଅବସର ସମୟ ଅତି ଆରାମରେ ଅତିବାହିତ କରିପାରିବି। କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ଭାରତରେ ରହି ଦେଶ ପାଇଁ କିଛି କରିବାକୁ। ମୋ ବାପାଙ୍କ ୬୦ ବର୍ଷ ଓ ମୋର ୪୦ ବର୍ଷର ଅଭିଜ୍ଞତା, ମୋଟ ୧୦୦ ବର୍ଷର ଅନୁଭବ ଓ ଅଭିଜ୍ଞତାକୁ ଯୁବପିଢ଼ିଙ୍କ ମଧ୍ୟରେ ବାଣ୍ଟିବାକୁ ଚାହୁଛି। ମୋ ମତରେ, ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବିଭିନ୍ନ ଦିଗରୁ ଶୁଭଙ୍କର। ଭାରତର ଯୁବପିଢ଼ି ହିଁ ଭାରତର ଶକ୍ତି। ତେଣୁ ଖେଳରେ ମୁଁ ହାସଲ କରିଥିବା ଅଭିଜ୍ଞତାକୁ ସେମାନଙ୍କ ମଧ୍ୟରେ ବାଣ୍ଟି ସେମାନଙ୍କୁ ଅଲିମ୍ପିଆନ୍ ମେଡାଲ ବିଜେତା, ଗ୍ରାଣ୍ଡ-ସ୍ଲାମ୍ ଚାମ୍ପିଅନ୍, ବିଶ୍ବ ଚାମ୍ପିଅନ ଭାବେ ଦେଖିବାକୁ ଚାହେ।