ରାଜ୍ୟ

ଆଗାମୀ ତାରକା: ପ୍ରତିକୂଳ ପରିସ୍ଥିତିରେ ଆଗକୁ ଚାଲିଛନ୍ତି ହରପ୍ରିୟା

ଭୁବନେଶ୍ବର: ସାହି ପଡ଼ିଶାଙ୍କ ଟାହିଟାପରା କରନ୍ତି- ଝିଅ ପିଲାଟା କ’ଣ ଖେଳୁଛି? ବଡ଼ ହେଲାଣି- ବାପା ବାହାଘର କାହିଁ କରୁନି? ସବୁ ଶୁଣିକି ହଜମ କରି ଦିଅନ୍ତି ହରପ୍ରିୟା। ଏସବୁକୁ ଖାତିର ନକରି କବାଡ଼ି ଖେଳ‌ରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଦେଖନ୍ତି। ଆଉ ସେହି ସ୍ବପ୍ନକୁ ପୂରଣ କରିବା ପାଇଁ ଜୋର୍‌ଦାର ଚେଷ୍ଟା ଜାରି ରଖିଛନ୍ତି। ଘରର ଆର୍ଥିକ ପରିସ୍ଥିତି ସ୍ବପ୍ନକୁ ସାକାର କରିବା ପାଇଁ ଘରର ଆର୍ଥିକ ପରିସ୍ଥିତି ସାଥ୍‌ ଦେଉନି ସତ। କିନ୍ତୁ ସେ ହାରିଯାଇନାହାନ୍ତି। ଗୋଟିଏ ଲକ୍ଷ୍ୟ- କବାଡ଼ି ଖେଳରେ ହିଁ କ୍ୟାରିୟର କରିବି। ବାପାଙ୍କ ନାଁ ରଖିବି।

ଏହି ପ୍ରତିଭା ହେଉଛି ସହିଦନଗରର ହରପ୍ରିୟା ସାହୁ। ଏବେ ସେ କମଳା ନେହେରୁ କଲେଜରେ ଗଣିତ ବିଭାଗରେ +୩ର ପ୍ରଥମ ବର୍ଷର ଛାତ୍ରୀ। ପିଲାଟିବେଳୁ ସେ ଜଣେ ମେଧାବୀ ଛାତ୍ରୀ। ୟୁନିଟ୍-୯ ବାଳିକା ହାଇସ୍କୁଲ୍‌ରେ ପଢ଼ିବା ସମୟରେ ସ୍କୁଲ୍‌ରେ କବାଡ଼ି, ଖୋଖୋ, ଫୁଟ୍‌ବଲ୍ ଆଦି ଖେଳ ଖେଳି ଅନେକ ପୁରସ୍କାର ଆଣିଛନ୍ତି। ଏମିତି ଖେଳୁ ଖେଳୁ ଇଛା ତାଙ୍କର ଖେଳ ପ୍ରତି ବଢ଼ି ଚାଲିଲା। ୨୦୧୮ ମସିହାରେ ଅଷ୍ଟମ ପଢ଼ୁଥିବା ସମୟରେ ସ୍କୁଲ୍ ପକ୍ଷରୁ କବାଡ଼ିରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଖେଳିବାକୁ ଯାଇଥିଲେ। ଫାଇନାଲ୍‌ରେ ହାରିଯାଇଥିଲେ କିନ୍ତୁ ଖେଳ ଜାରି ରଖିଥିଲେ। ୨୦୧୯ ମସିହାରେ କବାଡ଼ି, ଖୋଖୋ, ଫୁଟ୍‌ବଲ୍‌ରେ ଜିଲ୍ଲାସ୍ତରରେ ଖେଳି ଚାମ୍ପିଅନ୍ ହୋଇଥିଲେ। ସେହିପରି ୨୦୧୭ ମସିହାରେ ଖୋଖୋରେ ଜିଲ୍ଲାସ୍ତରରେ ଚାମ୍ପିଅନ୍ ହୋଇଥିଲେ। ୨୦୨୦ ମସିହାରେ ଦଶମ ପରୀକ୍ଷା ମଧ୍ୟ ଶେଷ ହୋଇଯାଇଥିଲା। ମହାମାରୀ ଥିବାରୁ ସେ ସମୟରେ ଘରୁ ବାହାରକୁ ବାହାରିବା ବି ମୁସ୍କିଲ୍ ହେଉଥିଲା। ତେଣୁ ଖେଳରେ ତାଙ୍କର ରୋକ୍ ଲାଗିଯାଇଥିଲା। ନା ସ୍କୁଲ୍ ଥିଲା ନା କେହି ପ୍ରଶିକ୍ଷକ ଥିଲେ। ତେଣୁ ଖେଳଠାରୁ ଦୂରେଇ ରହି ପାଠପଢ଼ାରେ ମନଦେଲେ। କିନ୍ତୁ ତାଙ୍କ ମନ ଖେଳ ପାଖରେ ରହିଥିଲା। ଖେଳିବା ପାଇଁ ପ୍ରଶିକ୍ଷଣ ନେବାକୁ କୋଚ୍ ଆବଶ୍ୟକତା ଅଛି। ତେଣୁ ଘରେ ପଇସା ନଥିବାରୁ ଚୁପ୍ ରହୁଥିଲେ। ହରପ୍ରିୟାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ବାପା ଏକ ଠେଲା ଧରି ଗୁପ୍‌ଚୁପ୍ ବେପାର କରନ୍ତି। ଘରେ ଚାରି ପ୍ରାଣୀ। କୌଣସି କାରଣବଶତଃ ଯଦି ବେପାରକୁ ନଯାଆନ୍ତି ସେଦିନ ଘର ଚଳିବା କଷ୍ଟ। କିନ୍ତୁ ତା’ରି ମଧ୍ୟରେ ଝିଅର ସ୍ବପ୍ନକୁ ସାକାର କରିବା ପାଇଁ ବାପା ଯଥାସମ୍ଭବ ସହଯୋଗ କରନ୍ତି।

ହରପ୍ରିୟା କୁହନ୍ତି ଖେଳ ଶିକ୍ଷୟତ୍ରୀ ଉର୍ମିଳା ଦାସ ହିଁ ମୋତେ ଏଥିପ୍ରତି ଅଧିକ ପ୍ରେରଣା ଯୋଗାଇଛନ୍ତି। ଘରେ ଦିନେ ଖାଇଲେ ତା’ ପରଦିନ କ’ଣ ଖାଇବାକୁ ଚିନ୍ତା ହୁଏ। ତେଣୁ ଖେଳିବା ପାଇଁ ଖେଳ ସାମଗ୍ରୀ ଦେବା ସମ୍ଭବ ନଥିଲା। ସେ ଦିଦି ହିଁ ମୋତେ ବିଭିନ୍ନ କ୍ଷେତ୍ରରେ ବହୁତ ସହଯୋଗ କରିଛନ୍ତି। ଏବେ ତାଙ୍କ ସହାୟତାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଯାଇ ପ୍ରଶିକ୍ଷଣ ନେଉଛନ୍ତି। ପ୍ରତିଦିନ ସକାଳେ କୋଚିଙ୍ଗ ଯିବା ସହ କଲେଜ୍ ଯାଉଛନ୍ତି। ପରେ ଅପରାହ୍ନ ୪ଟାରେ ସହିଦନଗରରୁ ସାଇକେଲିଙ୍ଗ୍ କରି ଖେଳ ଶିଖିବାକୁ ଯାଉଛନ୍ତି। ଏଥି ନେଇ ସାହି ପଡ଼ିଶା ତାଙ୍କ ବାପାଙ୍କୁ ଅନେକ ଅପବାଦ ମଧ୍ୟ ଦେଉଛନ୍ତି। ସେ କୁହନ୍ତି ଝିଅଟା ବଡ଼ ହେଲାଣି କାହିଁ ତାଙ୍କୁ ବାହାଘର ନକରି ପଇସା ଖର୍ଚ୍ଚ କରି ପୁଅ ପିଲା ଭଳି ପାଠ ପଢ଼ାଉଛ। ଏବାବଦରେ ହରପ୍ରିୟା କୁହନ୍ତି, ବାପା କରଜ କରି ମୋତେ ପାଠପଢ଼ାନ୍ତି। କୁହନ୍ତି ଯେଉଁଥିରେ ଇଛା ସେଥିରେ କ୍ୟାରିୟର କର। ତେଣୁ ବାପା ମୋତେ ସବୁ କ୍ଷେତ୍ରରେ ସହଯୋଗ କରନ୍ତି। ଆଗାମୀ ଦିନରେ ଖେଳରେ ହିଁ କ୍ୟାରିୟର୍ କରିବି ଓ ଦୁନିଆ ଆଗରେ ଦେଖାଇ ଦେବି ଝିଅବି କିଛି କମ୍ ନୁହେଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।