ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା: ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ!

ପୁରୀ : ଆଉ ୧୨ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ। ସାରା ବିଶ୍ବ ସାଉଁଟିବେ ବିଶ୍ବନିଅନ୍ତାଙ୍କ ଦିବ୍ୟ ଅନୁଭୂତି। ଏଥିପାଇଁ ବଡ଼ାଦାଣ୍ଡ ସହ ଶ୍ରୀମନ୍ଦିର ପାଖରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ରୁଣ୍ଡ ହେବେ। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏଥିରେ ପ୍ରତିବନ୍ଧକ ସାଜିବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ପ୍ରତିଶ୍ରୁତି ମୁତାବକ ପରିକ୍ରମା ପ୍ରକଳ୍ପ କାମ ସରି ନାହିଁ।

୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ କାମ ଆରମ୍ଭ ହୋଇଥିଲା। ଆଇନଗତ ସମସ୍ୟା ଯୋଗୁ ମଝିରେ କିଛି ମାସ କାମ ବିଳମ୍ବ ହୋଇଥିଲେ ବି ଚଳିତବର୍ଷ ଜୁନ ଭିତରେ କାମ ସରିଯିବ ବୋଲି ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ। ବିଧାନସଭାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଅଣତାରକା ପ୍ରଶ୍ନ(ସଂଖ୍ୟା-୬୭୦)ର ଉତ୍ତର ଦେଇ ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ, ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ୨୦୨୩ ଜୁନ୍‌ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ମନ୍ତ୍ରୀ ନୁହନ୍ତି, ବିଭିନ୍ନ ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିବା ସହ ଜୁନ ଭିତରେ ପରିକ୍ରମା ପ୍ରକଳ୍ପ କାମ ସରିବ ବୋଲି ଗଣମାଧ୍ୟମ ଆଗରେ କହିଥିଲେ।

ଜୁନ ମାସ ଚାଲିଥିବାବେଳେ ଅଦ୍ୟାବଧି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇପାରିନି। ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିଥିଲା। ଗତ ମେ ମାସ ୩୦ ତାରିଖ ସୁଦ୍ଧା ଯା’ଆସ ପାଇଁ ଆବଶ୍ୟକ ରାସ୍ତା କାମ ସାରିଦେବାକୁ ଓବିସିସି ପ୍ରତିଶ୍ରୁତି ଦେଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଥିଲା। କିନ୍ତୁ ଧାର୍ଯ୍ୟ ଅବଧି ଭିତରେ ଲୋକଙ୍କ ଯାତାୟାତ ପାଇଁ ଆବଶ୍ୟକ ରାସ୍ତା ତିଆରି ହୋଇପାରିନି। ଚାରିଆଡ଼େ ବିକ୍ଷିପ୍ତ ଅବସ୍ଥାରେ ପଥର, ବାଲି, ଗୋଡ଼ି ସବୁ ପଡ଼ିଛି। ଅନେକ ଜାଗାରେ ଏବେ ବି ଖାଲଖମା ଭରି ରହିଛି। ଯଦ୍ବାରା ଲୋକେ ଯାତାୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାରରେ। ଉତ୍ତରଦ୍ବାର ଅବସ୍ଥା ବି ସମାନ। ଏଣୁ ରଥଯାତ୍ରା ପୂର୍ବରୁ ଆବଶ୍ୟକ ଯାତାୟାତ ରାସ୍ତା କାମ ସାରିବାକୁ ସେବାୟତମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ଓବିସିସି-୧ ମହାପ୍ରବନ୍ଧକ ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତା(ଆଉଟର ଆକ୍ସେସ୍‌ ରୋଡ୍‌) ସାରିବାକୁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ କହିଥିଲୁ। ସେହି ଅନୁଯାୟୀ କାମ ଚାଲିଛି। ବର୍ତ୍ତମାନ ବାହ୍ୟ ଯାତାୟାତ ରାସ୍ତା ଶେଷ ପର୍ଯ୍ୟାୟରେ। ଆଉ ମାତ୍ର ୧୦ ପ୍ରତିଶତ କାମ ବାକି ରହିଛି। ରଥଯାତ୍ରା ପୂର୍ବରୁ ଏହି କାମ ଶେଷ ହୋଇଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।