ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ଏକ ବର୍ଷ ମାଗଣାରେ ୫ କେଜି ଚାଉଳ ଯୋଗାଇ ଦିଆଯିବ। ଚଳିତ ବର୍ଷ ୧୨ ମାସ ଯାକ ଏହା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଏ ବାବଦକୁ ରାଜ୍ୟ ରାଜକୋଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ରେ ମୁଣ୍ଡ ପିଛା ୫ କେଜି ଲେଖାଏ ଚାଉଳ ଯୋଗାଇ ଦେଉଛନ୍ତି। ୨୦୧୮ ଅକ୍ଟୋବର ମାସରୁ ୧ ଟଙ୍କାରେ ଏହି ଚାଉଳ ଦିଆଯାଉଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ଏହି ହିତାଧିକାରୀମାନଙ୍କୁ କୋଭିଡ୍ ସମୟରେ ଗତ ୨୮ ମାସ ଧରି ଅତିରିକ୍ତ ଚାଉଳ ଓ ଡାଲି ଯୋଗାଇ ଦିଆଯାଉଥିଲା। ଏହା ବାଦ୍ ହିତାଧିକାରୀ ପରିବାର ପିଛା ଦୁଇ ଥର ନଗଦ ଏକ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା।