ରାଜ୍ୟ

ଆଉ କେତେ ମଲେ ଚେତିବେ? ବିବାହବ୍ରତରେ ଯୋଗାଣ ପାଣି ଯାଞ୍ଚ ହେଉନି

ରାଉରକେଲା: ସ୍ମାର୍ଟସିଟିରେ ହଇଜାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ହଜାରେରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଅବଶ୍ୟ, ରବିବାରଠାରୁ ସଂକ୍ରମଣ ତଳମୁହାଁ ହୋଇଛି, କିନ୍ତୁ ସୋମବାର ସନ୍ଧ୍ୟା ସୁଦ୍ଧା ୩୦ ଜଣ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏବେ ବି ବିଭିନ୍ନ ଦିଗକୁ ପ୍ରଶାସନର ଦୃଷ୍ଟି ପଡ଼ିନି। ଯଦିଓ ପୂର୍ବରୁ ଫାଟିଥିବା ୩୬ଟି ପାଣି ପାଇପ୍‌କୁ ମରାମତି କରାଯାଇଛି, କିନ୍ତୁ ଏବେବି ପାଣି ଟାଙ୍କି, ଓଭରହେଡ୍‌ ଟାଙ୍କି ଆଦିକୁ ସଫା କରାଯାଉନି। ଏହାଛଡ଼ା ବିବାହ, ବ୍ରତରେ ଯୋଗାଣ ହେଉଥିବା ପାଣି ତଥା ସହରର ଏକାଧିକ ହୋଟେଲ, ରାସ୍ତାକଡ଼ ଫାଷ୍ଟଫୁଡ୍‌ ଷ୍ଟଲ୍‌ରେ ଉପଲବ୍‌ଧ ପାଣିର ମାନ ଯାଞ୍ଚ କରାଯାଉ ନାହିଁ।

ସହରରେ ପ୍ରାୟ ୨୦ରୁ ଅଧିକ ସଂସ୍ଥା ପାଣି ବ୍ୟବସାୟ କରୁଛନ୍ତି। ଛେଣ୍ଡ୍‌ରୁ ଆରମ୍ଭକରି ବାସନ୍ତୀକଲୋନି, ଉଦିତନଗର, କୋଏଲନଗର, ପାନପୋଷ, ସେକ୍ଟର, ବନ୍ଧମୁଣ୍ଡା ଆଦି ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଜାର୍‌/କଣ୍ଟେନର୍‌ରେ ବିବାହବ୍ରତ, ଭୋଜି ଆଦିରେ ପାଣି ଯୋଗାଉଛନ୍ତି। ତେବେ ଅଧିକଙ୍କ ପାଖରେ ପାଣି ବ୍ୟବସାୟ ପାଇଁ ବିଆଇଏସ୍‌ ଲାଇସନ୍ସ ଓ ଅନ୍ୟ ଆବଶ୍ୟକ ଅନୁମତି ନାହିଁ। କିଛି ବ୍ୟବସାୟୀ ଫୁଡ୍‌ ଲାଇସେନ୍ସ ନେଇ ସେଥିରେ ପାଣି ବ୍ୟବସାୟ କରୁଥିବା ଜଣାପଡ଼ିଛି। ସରକାରୀ ନିୟମର ଖୋଲା ଉଲ୍ଲଂଘନକରି ଏମାନେ ବର୍ଷବର୍ଷ ଧରି ବ୍ୟବସାୟ ଜାରି ରଖିଛନ୍ତି। ଏମାନଙ୍କ ଜଳଉତ୍ସ ବିଷୟରେ କ‌ାହାରିକୁ କିଛି ଜଣା ନାହିଁ। ନିର୍ଦ୍ଦିଷ୍ଟ କେଉଁଠାରୁ ପାଣି ଆଣି ଜାର୍‌ରେ ଭର୍ତ୍ତି କରୁଛନ୍ତି, ତାହା ଗୋପନ ରଖାଯାଉଛି।

ପ୍ରଥମେ ପାଣି ସଂଗ୍ରହ ଓ ପରେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଫିଲ୍‌ଟର କରାଯିବା ପରେ ଜାର୍‌ରେ ପାଣି ଭର୍ତ୍ତି କରାଯିବା କଥା। କିନ୍ତୁ ବହୁ ବ୍ୟବସାୟୀ ପାଇପ୍‌ ପାଣି/ଡିପ୍‌ବୋର୍‌ୱେଲ ପାଣିକୁ ସିଧାସଳଖ ଭର୍ତ୍ତି କରୁଥିବା ଅଭିଯୋଗ ହୁଏ। ଏବେ ବିବାହ ଋତୁ ଚାଲିଥିବାବେଳେ ଜାର୍‌ ପାଣିର ଚାହିଦା ବଢ଼ିଛି। ତେଣୁ ଏ ଦିଗରେ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ନେବା ଜରୁରୀ। ଏହାଛଡ଼ା ରାସ୍ତାକଡ଼ ଫାଷ୍ଟ୍‌ଫୁଡ୍‌ ଷ୍ଟଲ, ଫୁଡ୍‌କୋର୍ଟର ଗ୍ରାହକଙ୍କୁ ଦିଆଯାଉଥିବା ପାଣିର ମାନ ଯାଞ୍ଚ କରାଯାଉନି। ଆର୍‌ଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଗତ ଦିନରେ ଖାଦ୍ୟ ଯାଞ୍ଚ ହୋଇଛି ସତ, କିନ୍ତୁ କେବେ ପାଣି ଯାଞ୍ଚ କରା ଯାଇଥିବ‌େ ନଜିର ନାହିଁ। ଇସ୍ପାତ ସହରର ସମ୍ଭ୍ରାନ୍ତ ଅଞ୍ଚଳରୁ ଆରମ୍ଭକରି ବସ୍ତି ଅଞ୍ଚଳ ପର୍ଯ୍ୟନ୍ତ, ୯୦%ରୁ ଅଧିକ ସ୍ଥାନରେ ଗଢ଼ିଉଠିଥିବା ଫୁଡ୍‌କୋର୍ଟ, ଜଳଖିଆ ଦୋକାନ, ଫାଷ୍ଟଫୁଡ୍‌ ଷ୍ଟଲରେ ଶୁଦ୍ଧ ପାଣି ଦିଆଯାଉ ନଥିବା ଅଭିଯୋଗ ହୁଏ। ଅନ୍ତତଃ ହଇଜାରେ ସହରବାସୀ ଜର୍ଜରିତ ହେବାପରେ ଏ ଦିଗକୁ ଗୁରୁତର ସହ ବିଚାର କରାଯିବା ଉଚିତ ବୋଲି ସଚେତନ ଖାଉଟି ମତ ଦିଅନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।