ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବିଶ୍ବାସ ହେଉଥିଲେ ବି ସତ: ଜଣେ ବି ଲୋକ ନାହାନ୍ତି; ମାନ୍ୟତା କିନ୍ତୁ ରାଜସ୍ବ ଗାଁ

କଟକ: ସ୍ବାଧୀନତା ପରଠାରୁ ସରକାରୀ ରେକର୍ଡରେ ରାଜସ୍ବ ଗାଁର ମାନ୍ୟତା ପାଇ ‌ଆସିଛି। ହେଲେ ଗାଁରେ ଜଣେ ବି ଲୋକ ରହୁ ନାହାନ୍ତି କି ସେଠାକୁ ଚାଷ ବାସ ପାଇଁ ବି କେହି ଆସୁ ନାହାନ୍ତି। କଟକ ଜିଲ୍ଲାର ତିଗିରିଆ ବ୍ଲକ୍‌ ପାଞ୍ଚଗାଁ ପଞ୍ଚାୟତର ରାମଚନ୍ଦ୍ରପୁର ଓ ହରିରାଜପୁର ନାମରେ ରହିଥିବା ଏହି ଦୁଇଟି ରାଜସ୍ବ ଗ୍ରାମର ବାସ୍ତବ ସ୍ଥିତି ଏମିତି। ଏହାକୁ ବେଛପରି ମୌଜା ବୋଲି କୁହାଯାଉଛି। ଅନ୍ୟପଟେ ସେହି ପଞ୍ଚାୟତର ଶେଷଗାଁ ରାଜସ୍ବ ଗାଁର ମାନ୍ୟତା ପାଇଥିଲେ ବି ସେଠାରେ ରହୁଛନ୍ତି ମାତ୍ର ୬ଟି ପରିବାର।

ସୂଚନା ଅନୁସାରେ, କଟକ ଜିଲ୍ଲାରେ ରହିଛି ମୋଟ ୨୦୭୪ଟି ରାଜସ୍ବ ଗ୍ରାମ। ସେଥିରୁ ୧୯୮୨ଟି ଗାଁ ଗ୍ରାମାଞ୍ଚଳରେ ଓ ୯୨ଟି ଗାଁ ସହରାଞ୍ଚଳରେ ରହିଛି। ଅନେକ ଗାଁ ସମସ୍ତ ପ୍ରକାର ମାପଦଣ୍ଡକୁ ପୂରଣ କରୁଥିଲେ ବି ଆଜି ପର୍ଯ୍ୟନ୍ତ ରାଜସ୍ବ ଗାଁର ମାନ୍ୟତା ପାଇପାରୁନି। ଏହାକୁ ନେଇ ଅନେକ ସମୟରେ ପ୍ରଶାସନ ପାଖରେ ଆପତ୍ତି ଅଭିଯୋଗ ହୋଇ ଆସୁଛି। କିନ୍ତୁ ପ୍ରାଶାସନିକସ୍ତରରେ ଯାହାକୁ ରାଜସ୍ବ ଗାଁ ମାନ୍ୟତା ଦିଆଯାଇଛି, ସେଠି ଜଣେ ବି କେହି ନରହିବା ଏବଂ କେଉଁଠି ୬ଟି ପରିବାର ରହିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଆଠଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକ୍‌ରେ ରହିଛି ୧୪ଟି ପଞ୍ଚାୟତ। ସେହି ବ୍ଲକ୍‌ର ପାଞ୍ଚଗାଁ ପଞ୍ଚାୟତରେ ରହିଛି ୫ଟି ରାଜସ୍ବ ଗ୍ରାମ, ଗୋଟିଏ ପଡା ଗ୍ରାମ। ପାଞ୍ଚଗାଁ, ସୁଦର୍ଶନପୁର, ଶେଷଗାଁ, ରାମଚନ୍ଦ୍ରପୁର ଓ ହରିରାଜପୁର। ସ୍ବାଧୀନତାପରଠାରୁ ଯେଉଁ ରେକର୍ଡ ଓ ରାଜସ୍ବ ଗାଁ ସବୁ ଗଠନ କରାଯାଇଥିଲା ସେହି ସମୟରୁ ରାମଚନ୍ଦ୍ରପୁର ଓ ହରିରାଜପୁର ସରକାରୀ ରେକର୍ଡରେ ରାଜସ୍ବ ଗାଁ ଭାବେ ପରିଚିତ। କିନ୍ତୁ ସେହି ସମୟରୁ ସେଠାରେ ବୁଦୁବୁଦିଆ ଜଙ୍ଗଲ ରହିଥିଲା ଓ ଲୋକ ରହୁ ନଥିଲେ। ଅଶୀ ଦଶକରେ ବସ୍ତି ସଂପ୍ରସାରଣ ଯୋଜନାରେ ପାଖାପାଖି ଦେଢଗୁଣ୍ଠ ଲେଖାଏ ଜମି ପଟ୍ଟା ୨୫ ଜଣଙ୍କୁ ଦିଆଯାଇଥିଲା। କିନ୍ତୁ ସେମାନେ ବି ସେହି ଗାଁକୁ ଗଲେନି କି ରହିଲେନି। କେମିତି ପଟ୍ଟା ଦିଆଯାଇଥିବା ଲୋକ ସେହି ଗାଁରେ ରହିବେ, କେମିତି ବସତି ସ୍ଥାପନ ହେବ, ସେ ଦିଗରେ ଆଜି ପର୍ଯ୍ୟନ୍ତ କେହି ଗୁରୁତ୍ବ ଦେଉ ନାହାନ୍ତି। ପୂର୍ବତନ ସମିତିସଭ୍ୟ ସରୋଜ କୁମାର ଦାଶଙ୍କ କହିବା କଥା ହେଲା ଯେ ସେ ଜାଣିବା ଦିନଠାରୁ ଏହି ଦୁଇଟିଯାକ ରାଜସ୍ବ ଗାଁରେ ଲୋକ ରହୁ ନାହାନ୍ତି। ପୂର୍ବରୁ ସେଠାରେ ବୁଦୁବଦିଆ ଜଙ୍ଗଲ ଥିଲା। ଏବେ ସେଠି ଆଉ ଗଛ ବି ନାହିଁ। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଚିତ୍ର କୁମାର ସ୍ବାଇଁଙ୍କ କହିବା‌ ଅନୁଯାୟୀ ହରିରାଜପୁର ଓ ରାମଚନ୍ଦ୍ରପୁରରେ କେହି ରହୁ ନଥିବା ବେଳେ ଶେଷଗାଁରେ ମାତ୍ର ୬ଟି ପରିବାର ରହୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।