ସୁନ୍ଦରଗଡ ୯।୮: ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ବାସ ଲୋକଙ୍କ ମନରୁ ଏବେବି ଯାଇନି । ବିଷାକ୍ତ ସାପ କାମୁଡିବା ପରେ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବା ଆଶା ଆଜି ଦୁଇ ଜଣଙ୍କ ଜୀବନ ନେଇଛି । ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଲୁହୁରାସାହିର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିଦେଇଥିଲା । ତାଙ୍କୁ ଡାକ୍ତରଖାନା ବଦଳରେ ଗୁଣିଗାରେଡି କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ସେହିଭଳି ତାମଡା ଗାଁର ଜଣେ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡିଥିଲା । ଶ୍ବଶୁର ଘର ଲୋକ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଗୁଣିଆ ପାଖକୁ ନେଇ ଝଡାଫୁଙ୍କା କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ଆଗରୁ ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଣି ଗାଁକୁ ଫେରାଇ ଆଣି ଅନ୍ୟ ଜଣେ ଗୁଣିଆ ପାଖକୁ ନେଇଥିଲେ । ଶେଷରେ ତାଙ୍କର ବି ମୃତ୍ୟୁ ହୋଇଥିଲା ।