ରାଜ୍ୟ

ଅନେକ ମୁଣ୍ଡ ନେଇଛି କଳାପଥର: ପଥର ତଳେ ଚାପିଦେଲେ

ଚଢ଼େଇଧରା: ଧର୍ମଶାଳା ବ୍ଲକ୍‌ ପାଖର ପଞ୍ଚାୟତ ଅନ୍ତର୍ଗତ ଟେଲର ଗ୍ରାମର ରାଜୀବ, ପୋବଳର କୁଳମଣି, ଆରୁହାର ଶତ୍ରୁଘ୍ନ, ଶାନ୍ତନୁ, ଗୁରୁଆ…ଏଭଳି ଅନେକ ଶ୍ରମିକଙ୍କ ଜୀବନ କଳାପଥର ତଳେ ଚାପି ହୋଇଯାଇଛି। କଳାପଥରର କଳା ସାମ୍ରାଜ୍ୟକୁ ବଢ଼ାଇବା ପାଇଁ ଏମାନଙ୍କୁ ଏକ ପ୍ରକାର ହତ୍ୟା କରାଯାଇଛି। ଅନେକ ଶବ ସେହି ପାହାଡ଼ ତଳେ କଙ୍କାଳ ହୋଇ ଲୁଚିଯାଇଛି। କିଛି ମାମଲା ସାମ୍ନାକୁ ଆସିଛି; ଅଧିକାଂଶ ମାମଲାକୁ କଳବଳ ଲଗାଇ ଦୁର୍ଘଟଣାର ରଙ୍ଗ ବୋଳାଯାଇଛି। ବେଆଇନ ଖନନ ଓ ଚୋରିକୁ ଘୋଡ଼ାଇବା ପାଇଁ ପାହାଡ଼ରେ ମରିଥିବା ଶ୍ରମିକଙ୍କୁ ଆଉଥରେ ରାସ୍ତା ଦୁର୍ଘଟଣାରେ ମରାଯାଇଛି। ଏଭଳି ଷଡ଼୍‌ଯନ୍ତ୍ର ଅତୀତରେ ଧରାପଡ଼ିଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନି। ଧର୍ମଶାଳା କଳାପଥର କେଳେଙ୍କାରୀର ଏହି ଲୋମହର୍ଷଣକାରୀ, ସମ୍ବେଦନଶୀଳ ଦିଗକୁ ଜିଲ୍ଲା ପ୍ରଶାସନ, ତହସିଲ, ଖଣି ବିଭାଗ, ସ୍ଥାନୀୟ ପୁଲିସ, ଶ୍ରମ ବିଭାଗ ଅଣଦେଖା କରି ଆସିଛନ୍ତି। ଫଳରେ ଅନେକ ଶ୍ରମିକଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯାଇଛି।

୧୦ ବର୍ଷ ଭିତରେ ପଥର ଅତଡ଼ା ଧସି, ବିସ୍ଫୋରଣ ଯୋଗୁ ଶତାଧିକ ଶ୍ରମିକ, ମେସିନ୍‌ ଅପରେଟର୍‌, ହେଲପର୍‌ଙ୍କ ମୃତ୍ୟୁ ହୋଇଛି। ବେଆଇନ ଲିଜ୍‌ଧାରୀ, ଅଧିକାରୀ, କର୍ମଚାରୀ, ପ୍ରଭାବଶାଳୀ ରାଜନେତାଙ୍କ ଅସାଧୁମେଣ୍ଟ ଯୋଗୁ ଏଭଳି ଘଟଣାକୁ ସହଜରେ ଚାପି ଦିଆଯାଇଛି। ଏହି ଲୁଟ୍‌ରେ ସ୍ଥାନୀୟ ପୁଲିସ ବାବୁଙ୍କ ମଧ୍ୟ ବଡ଼ ଭୂମିକା ରହିଛି। ଧର୍ମଶାଳା ଓ ଜେନାପୁର ଥାନା ଅଧୀନରେ ଘଟିଥିବା ଏମିତି ଅନେକ ଘଟଣାକୁ ଅତୀତରେ ଚାପି ଦିଆଯାଇଛି। ଏହି କାରଣରୁ ମୃତ ଶ୍ରମିକଙ୍କୁ କ୍ଷତିପୂରଣ ମିଳିନଥିବା ବେଳେ ଅନେକ ମାମଲାକୁ ପରିବାର ସହିତ ବସି ରଫାଦଫା କରି ଦିଆଯାଇଛି। ପଥର ଖାଦାନ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ଅନେକ ଶ୍ରମିକଙ୍କ ପରିବାର ଅସହାୟ ଅବସ୍ଥାରେ କାଳ କାଟୁଛନ୍ତି। ପାଖର ପଞ୍ଚାୟତ ଟେଲର ଗ୍ରାମର ଶ୍ରମିକ ରାଜୀବ ଘଡ଼େଇ କଳାପଥର ଖାଦାନରେ କାମ କରିବା ସମୟରେ ପଥର ପଡ଼ିଯିବାରୁ ମୃତ୍ୟୁବରଣ କରିଥିଲେ। ସେତେବେଳେ ତାଙ୍କର ତିନି ନାବାଳକ ଶିଶୁ ଓ ପତ୍ନୀ ରହିଥିଲେ। ମୃତ ଶ୍ରମିକଙ୍କ ପରିବାରକୁ କୌଣସି ଆର୍ଥିକ ସହଯୋଗ ମିଳିନଥିଲା। ଏବେ ବି ପରିବାରର ଆର୍ଥିକ ସ୍ଥିତି ସୁଧୁରି ନାହିଁ। ପୋବଳ ପଞ୍ଚାୟତର ଶ୍ରମିକ କୁଳମଣି ଦେହୁରିଙ୍କର ଖାଦାନରେ ପଥର ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ମଧ୍ୟ ସେଭଳି କିଛି ଆର୍ଥିକ ସହାୟତା ମିଳିନଥିଲା। ଏବେ ବି ତାଙ୍କ ପରିବାର ଦୁର୍ଦିନରେ ଦିନ କାଟୁଛନ୍ତି। ଆରୁହା ଗ୍ରାମର ଶତ୍ରୁଘ୍ନ ସାମଲ ମଧ୍ୟ ଖାଦାନରେ ଜୀବନ ହରାଇଥିଲେ। ଏମିତି ଅନେକ ଶ୍ରମିକଙ୍କ ପଥର ତଳେ ଚାପି ହୋଇ ମୃତ୍ୟୁ ହୋଇଥିଲେ ମଧ୍ୟ ମାମଲାକୁ ଚାପି ଦିଆଯାଇଥିଲା।

ଗତ ମେ ୧୬ରେ ଡଙ୍କାରୀ ପାହାଡ଼ରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ଜୀବନ ଯାଇଥିଲା। ନବରଙ୍ଗପୁର ଜିଲ୍ଲାର ସୁରେଶ ଗୌଡ଼, ଜଗବନ୍ଧୁ ମାଝୀ ଓ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ଅଞ୍ଚଳର ଏମ୍‌. ଉମାପତି ପ୍ରାଣ ହରାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦାୟିତ୍ବ ସାରିଦେଇଥିଲା। ଏହି ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲଘୁ ଖଣିଜ ବିଭାଗ ପକ୍ଷରୁ କୁହାଯାଇଛି। ଧର୍ମଶାଳାର ଡଙ୍କାରୀ, ରାହାଡ଼ପୁର, ଆରୁହା, ବାଜବାଟୀ, ଲୁଣିବର, ବାଘୁଆ, ବିଛାଖଣ୍ଡି, କୁସୁନପୁରରେ ଥିବା କଳାପଥର ଖାଦାନରେ ଗତ ୧୦ ବର୍ଷ ଭିତରେ ଶତାଧିକ ଶ୍ରମିକଙ୍କ ଜୀବନ ହାନି ଘଟିଥିଲେ ବି ଥାନାରେ କେତୋଟି ହାତଗଣତି ମାମଲା ହୋଇଛି। ଅଧିକାଂଶ ମାମଲାକୁ ରାସ୍ତା ଦୁର୍ଘଟଣାର ରୂପ ଦେଇ ଚାପି ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।