ପୁରୀ ୩୦।୭: ଅଟୋ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ । ବିଚ୍ ରାସ୍ତାରେ ହାଇୱା ହେଲପରଙ୍କୁ ମାଡ । ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୁକଳର ଅନିଆ ବିଶ୍ବାଳ ନାମକ ଜଣେ ଅଟୋ ଚାଳକ ପଡୋଶୀ ଗ୍ରାମ ଭଣ୍ଡାରିଦଣ୍ଡାର ହାଇୱା ହେଲପର ଅମର ପରିଡାଙ୍କୁ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବେଲ୍ଟରେ ପିଟି ପିଟି ଅମରଙ୍କୁ ରକ୍ତାକ୍ତ କରିଛି ଅନିଆ । ଖବର ପାଇ ସତ୍ୟବାଦୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଶୁକଳ ଛକରେ ଜଳଖିଆ ଦୋକାନ ଭିତରୁ ବାହାରୁଥିଲା ଅମର। ଦୋକାନ ସମ୍ମୁଖରେ ଅନିଆ ଅଟୋ ରଖିଥିବା ବେଳେ ଅଟୋକୁ ସାଇଡ୍ କରିବା ପାଇଁ ଅମର କହିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏହାପରେ ଅନିଆ ନିଜ ବେଲ୍ଟରେ ଅମରକୁ ପିଟି ପିଟି ଲହୁଲୁହାଣ କରିଥିଲା । ତେବେ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାରୁ ପୋଲିସ ଉଭୟଙ୍କୁ ଥାନାରେ ଅଟକ ରଖିଥିବା ସତ୍ୟବାଦୀ ଥାନା ପୋଲିସ ସୂଚନା ଦେଇଛନ୍ତି ।