ଅପରାଧ ରାଜ୍ୟ

ଅଙ୍ଗ ଚୋରିକରି ହତ୍ୟା! ଆମ୍ବୁଲାନ୍ସରେ ଯାଇଥିଲେ ଡାକ୍ତରଖାନା, ଧାନ ବିଲରୁ ମିଳିଲା ଶବ

କଣ୍ଟାପଡ଼ା/ଭୁବନେଶ୍ବର: ଏପରି ଘଟଣା ଅନ୍ୟ କିଛି ରାଜ୍ୟରେ ଘଟିବାର ଖବର ଥିଲେ ହେଁ ଓଡ଼ିଶାରେ ପ୍ରାୟତଃ ଶୁଣା ଯାଏନାହିଁ। ଭୁବନେଶ୍ବରର ଜଣେ ଯୁବକ ଆମ୍ବୁଲାନ୍‌ସରେ ଡାକ୍ତରଖାନାକୁ ଯିବାପରେ ଉଭାନ ହୋଇଗଲେ। ପରିବାର ଲୋକ ପତ୍ତା ନପାଇ ପୁଲିସରେ ଖବର ଦେଲେ। ତାଙ୍କର କିଛି ଖୋଜଖବର ମିଳିଲାନି। ପୁଲିସ ମଧ୍ୟ ସେ ଦିଗରେ ବିଶେଷ ଆଗ୍ରହ ଦେଖାଇଲାନାହିଁ। ଶେଷରେ ନିଖୋଜ ହେବାର ୬ଦିନ ପରେ ଯୁବକଙ୍କର ମୃତଦେହ ସହର ବାହାରର ଏକ ସ୍ଥାନରୁ ଉଦ୍ଧାର କରାଗଲା। ତାଙ୍କ ପେଟ ଚିରାହୋଇ ସିଲାଇ କରାଯାଇଥିବାରୁ ସେ କୌଣସି ଅଙ୍ଗଚୋରି ରାକେଟ ହାବୁଡ଼ରେ ପଡ଼ିଯାଇଥିଲେ ବୋଲି ସନ୍ଦେହ ହେଉଛି। ପାରିପାର୍ଶ୍ବିକ ସ୍ଥିତିରୁ ଏଭଳି ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଉଛନ୍ତି ପୁରୁଣା ଭୁବନେଶ୍ବର ଅଞ୍ଚଳର ଧ୍ରୁବଚରଣ ରାଉତରାୟଙ୍କ ପୁଅ କେଳୁଚରଣ ରାଉତରାୟ।

ସୂଚନା ଅନୁସାରେ, ଆଜି ସକାଳେ କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା-ନିଆଳି ରାସ୍ତାର ଇଚ୍ଛାପୁର ଗ୍ରାମର କେତେକ ବ୍ୟକ୍ତି ଧାନବିଲରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଯୁବକଙ୍କ ମୁହଁରେ ଏସିଡ୍ ପକାଇ ପୋଡ଼ି ଦିଆଯାଇଥିବା ଏବଂ ପେଟ ଚିରି ସିଲେଇ କରାଯାଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଓଲଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ୍‌ରୁ ନମ୍ବର ବାହାର କରି ପରିବାର ସହ ଯୋଗାଯୋଗ କରିଥିଲା।

ପରିବାରବର୍ଗ ପହଞ୍ଚି ମୃତଦେହ କେଳୁଚରଣ ରାଉତରାୟଙ୍କର ବୋଲି ଚିହ୍ନଟ କରିଥିଲେ। ସେମାନଙ୍କଠାରୁ ଜଣାପଡ଼ିଥିଲା ଯେ ଗତ ୧୨ ତାରିଖରେ କେଳୁଚରଣ ପୁରୁଣା ଭୁବନେଶ୍ବରର ଏକ ଛକରେ ବସିଥିଲା ବେଳେ ହଠାତ୍ ବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେହିଦିନଠାରୁ କେଳୁଚରଣଙ୍କର ଖୋଜଖବର ମିଳି ନ ଥିଲା। ପରିବାରବର୍ଗ ନିକଟସ୍ଥ ଡାକ୍ତରଖାନାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲେ। ଫଳରେ ସେମାନେ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ନିଖୋଜର ୬ଦିନ ପରେ ଯୁବକଙ୍କ ଶବ ଧାନବିଲରୁ ଉଦ୍ଧାର କାରଣ ହୋଇଛି। ମୃତ କେଳୁଚରଣଙ୍କ ବଡ଼ଭାଇ ବିଭୁପ୍ରସାଦ ରାଉତରାୟ ଓଲଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ତେବେ ଏହି ଘଟଣାର କିଛି ପ୍ରାଥମିକ ଦିଗ ଏବେ ମଧ୍ୟ ଅସ୍ପଷ୍ଟ ହୋଇ ରହିଛି: କେଳୁଚରଣ କେଉଁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଯାଇଥିଲେ? ତା’କୁ ଖୋଜିବାର ଉଦ୍ୟମ ସ୍ଥାନୀୟ ପୁଲିସ କରିଛି କି? ସେ ଚିକିତ୍ସା ପାଇଁ କ’ଣ ଏକୁଟିଆ ଆମ୍ବୁଲାନ୍ସରେ ଯାଇଥିଲେ? ନା ସାଙ୍ଗରେ ଆଉ କେହି ଯାଇଥିଲେ? ଯଦି ଯାଇଥିଲେ, ସେମାନେ କିଏ ଓ ଏବେ କେଉଁଠି? ଯଦି ଯାଇ ନଥି‌ଲେ, ତେବେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଏକୁଟିଆ ଡାକ୍ତରଖାନାକୁ କିଭଳି ଛାଡ଼ିଦିଆଯାଇଥିଲା?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।