ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଭେଟିଲେ ପ୍ରତିନିଧି

ଭୁବନେଶ୍ବର: ୮ଦଫା ଦାବିରେ ଦୀର୍ଘ ୪୫ଦିନ ଧରି ଲୋୟର୍‌ ପିଏମ୍‌ଜିରେ ଧାରଣାରେ ବସିଥିବା ଅଙ୍ଗନବାଡ଼ି କର୍ମୀମାନେ ଆଜି ରାଜଧାନୀରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଲୋୟର୍‌ ପିଏମ୍‌ଜିରୁ ଏକ ବିଶାଳ ଶୋଭାଯାତ୍ରାରେ ଆଜି ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ରାଜମହଲ ଛକରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲେ ବି କୌଣସି ଅପ୍ରୀତିକର ପରିସ୍ଥିତି ସେମାନେ ସୃଷ୍ଟି କରିନଥିଲେ। ଅଙ୍ଗନବାଡ଼ି ମହାସଂଘର ପ୍ରତିନିଧିମାନେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତେବେ ପ୍ରତିଶ୍ରୁତି ଅନୁସାରେ ଦାବି ପୂରଣ ନହେଲେ ଫେବ୍ରୁଆରି ଦ୍ବିତୀୟ ସପ୍ତାହ ପରେ ପୁଣି ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

୪୫ ଦିନ ହେଲା ସରକାର ଦାବି ଶୁଣୁ ନଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିସ୍‌ ୱାର୍କରସ୍‌ ଆସୋସିଏସନ୍‌ ପକ୍ଷରୁ ‘ନବୀନ ନିବାସ ଚାଲ’ ଅଭିଯାନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଲୋୟର୍‌ ପିଏମ୍‌ଜିରେ ପହଞ୍ଚିଥିଲେ। ସେମାନଙ୍କ ବଡ଼ ଧରଣର ଆନ୍ଦୋଳନର ଆଗୁଆ ସୂଚନା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାଷ୍ଟର୍‌ କ୍ୟାଣ୍ଟିନ୍ ଛକ ଓ ରାଜମହଲ ଛକ ପୁଲିସ୍‌ ଛାଉଣି ହୋଇଯାଇଥିଲା। ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ରହି ଦୁଇଟି ଯାକ ଛକକୁ ଘେରାବନ୍ଦୀ କରିଦେଇଥିଲେ। ଯେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍‌ ସବୁପ୍ରକାର କୌଶଳ ଖଟାଇଥି‌ଲା। ମଧ୍ୟାହ୍ନରେ ଅଙ୍ଗନବାଡ଼ି କର୍ମୀମାନେ ହାତରେ ଫୁଲ ତୋଡ଼ା ଧରି ଲୋୟର୍‌ ପିଏମ୍‌ଜିରୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ପୂର୍ବ ‌ଯୋଜନା ମୁତାବକ ରାଜମହଲ ଛକଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ତେବେ ବିନା ପ୍ରତିବାଦରେ ଅଙ୍ଗନବାଡ଼ି କର୍ମୀମାନେ ପୁଣି ଲୋୟର ପିଏମ୍‌ଜି ଧାରଣାସ୍ଥଳକୁ ଫେରି ଆସିଥିଲେ। ସେଠାରେ ପୁଣି ପ୍ରତିବାଦ ସଭା କରାଯାଇଥିଲା।

ଏହି ସମୟରେ ସ୍ବତନ୍ତ୍ର ଡାକରା ପାଇ ଅଙ୍ଗନବାଡ଼ି କର୍ମୀମାନଙ୍କର ଏକ ୮ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନ ଯାଇ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ। ଫେବ୍ରୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ସରକାର ଚିନ୍ତା କରିବେ ବୋଲି ଲିଖିତ ପ୍ରତିଶ୍ରୁତି ମିଳିଥିଲା ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ଅଙ୍ଗନବାଡ଼ି କର୍ମୀଙ୍କ ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଦାବି ନେଇ ଆଲୋଚନା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କଠାରୁ କି ପ୍ରତିଶ୍ରୁତି ମିଳିଲା, ସେନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ଫେବ୍ରୁଆରି ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ମହାସଂଘର ସାଂଗଠନିକ ସଂପାଦିକା ଅଞ୍ଜଳି ପଟେଲ ସୂଚନା ଦେଇଥିଲେ ଏବଂ ପ୍ରତିଶ୍ରୁତି ଅନୁସାରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି କହିଥିଲେ।

ସୂଚନାଯୋଗ୍ୟ, ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ଜଣ କର୍ମୀଙ୍କୁ ପୁନଃନିଯୁକ୍ତି, ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସର୍ବନିମ୍ନ ଦରମା ୧୮ହଜାର ଟଙ୍କା ପ୍ରଦାନ ସହ ଇପିଏଫ୍‌, ଇଏସ୍‌ଆଇସି ଓ ଗ୍ରାଚ୍ୟୁଇଟିରେ ସାମିଲ କରିବା, ମିନି ଅଙ୍ଗନବାଡ଼ିକୁ ମୁଖ୍ୟ ଅଙ୍ଗନବାଡ଼ିରେ ସାମିଲ, ଅବସରକାଳୀନ ୫ଲକ୍ଷ ଟଙ୍କା ପ୍ରଦାନ ସହ ମାସିକ ୫ହଜାର ଟଙ୍କାର ପେନସନ୍‌ ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ମୃତ୍ୟୁକାଳୀନ ସହାୟତା ପ୍ରଦାନ ସହ ପରିବାର ଜଣଙ୍କୁ ଚାକିରି ପ୍ରଦାନ ଆଦି ୮ଦଫା ଦାବି ନେଇ ଏହି ଆନ୍ଦୋଳନ ଚାଲିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।