ଶୁକ୍ରବାର ୨୫ ଅକ୍ଟୋବର ଧନତ୍ରୋୟଦଶୀ ବା ଧନତେରସ। ଏହି ତିଥି ସହ ଦେଶରେ ୫ ଦିବସୀୟ ଦିପୋତ୍ସବ ଆରମ୍ଭ ହେବ। ଧନତେରସରେ ଲକ୍ଷ୍ମୀ, କୁବେର, ଧନ୍ୱନ୍ତରୀଙ୍କ ସହ ଯମରାଜାଙ୍କୁ ପୂଜା କରାଯାଏ। ଆସନ୍ତୁ ଜାଣିବା ଧନତେରସରେ କିପରି ହୁଏ ପୂଜା।

ଏହି ଦିନରେ ସୁନା ଓ ରୂପା ଭଳି ଧାତୁ କ୍ରୟର ଅନେକ ଦିନର ପରମ୍ପରା ଚଳିଆସିଛି। ଏହି ସବୁ ଧାତୁ ଲକ୍ଷ୍ମୀ, କୁବେର ଓ ଧନ୍ୱନ୍ତରୀଙ୍କ ପ୍ରୀୟ ଦ୍ରବ୍ୟ। କୁହାଯାଏ ଯେତେବେଳେ ଧନ୍ୱନ୍ତରୀ ପ୍ରକଟ ହୋଇଥିଲେ ସେତେବେଳେ ତାଙ୍କ ହସ୍ତରେ ଅମୃତ କଳସ ଥିଲା। ଏଣୁ ଧନତେରସରେ କଳଶ ଅଥବା ସେହିଭଳି ମୂଲ୍ୟବାନ ସାମଗ୍ରୀ କ୍ରୟ କରାଯାଏ। ଏହି ତିଥି ସମ୍ବଦ୍ଧରେ ଏହା ବି ମାନ୍ୟତା ରହିଛି ଏହି ଦିନରେ କ୍ରୟ କରାଯାଇଥିବା ଦ୍ରବ୍ୟ ୧୩ ଗୁଣା ଅଧିକ ଶୁଭ ଫଳ ପ୍ରଦାନ କରେ।

ଏହି ତିଥିରେ ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ପ୍ରଦୀପ ପ୍ରଜ୍ୱଳନର ପ୍ରଥା ରହିଛି। ତେବେ ରାତ୍ରିରେ ତୁଳସୀଙ୍କୁ ଛୁଇଁବା ସମ୍ପୂର୍ଣ୍ଣ ମନା। ଏହି ଦିନରେ ମହାଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଏ। ତେବେ ଯମ ରାଜାଙ୍କ ଲାଗି ଦକ୍ଷିଣ ଦିଗରେ ବି ଦୀପଟିଏ ଜଳାଇ ଦିଆଯାଏ। ଦୀପାବଳି ଲାଗି ଏହି ଦିନରୁ ଘର ସଫାସୁତରା କରାଯାଇ ଅଗଣାରେ ଚିତା ପଡେ। ସେହିପରି ବ୍ୟବସାୟ କରୁଥିବା ଲୋକେ ଏହି ଦିନରେ ବହି ଖାତା କିଣି ପୂଜା କଲେ ସେମାନଙ୍କ ବ୍ୟବସାୟ ସଫଳ ହୋଇଥାଏ।


