କଟକ : କଟକ ସହର ଏବେ ରାଜ୍ୟରେ ନକଲି ଔଷଧ ମାଫିଆଙ୍କ ଚରାଭୂଇଁ ପାଲିଟିବାକୁ ବସିଲାଣି। ଗଲା ଦୁଇବର୍ଷ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ କେବଳ କଟକ ସହରରୁ ନକଲି ଔଷଧ କାରବାରରେ ୨ କୋଟି ୨୧ଲକ୍ଷ ୭୪ ହଜାର ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି। କଟକର ୯ ଔଷଧ ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ରାଜ୍ୟ ବାହାରର ଜଣେ ହେଲେ ବି ମାଷ୍ଟରମାଇଣ୍ଡ ଏଯାଏ ଧରାପଡ଼ି ନାହାନ୍ତି। କଟକକୁ ଅଧିକ ସଂଖ୍ୟାରେ ନକଲି ଔଷଧ ହିମାଚଳପ୍ରଦେଶରୁ ଆସୁଥିବା ବେଳେ ତା’ ପଛକୁ ବିହାର, କର୍ଣ୍ଣାଟକ ଓ କଲିକତା ରହିଛି। ପୁଲିସ ଓ ଡ୍ରଗସ୍ କଣ୍ଟ୍ରୋଲ ବିଭାଗ ଏସବୁ ଜାଲି କମ୍ପାନି ସମ୍ପର୍କରେ ତଥ୍ୟ ପ୍ରମାଣ ପାଉଥିଲେ ବି ସେମାନଙ୍କୁ ଧରିବାରେ ସଫଳ ହୋଇ ପାରୁନାହାନ୍ତି।
କଟକ ସହରରେ ୨୦୨୦ ନଭେମ୍ବର ୧ରେ ମର୍କତନଗର ଥାନା ଅଞ୍ଚଳରୁ ପ୍ରଥମ ଥର ପାଇଁ ୪ ଲକ୍ଷ ଟଙ୍କାର ନିଷିଦ୍ଧ କଫ୍ ସିରପ୍ ‘ଏସକଫ୍’ ଜବତ ଘଟଣାରେ ଚୌଦ୍ବାରର ଔଷଧ ଦୋକାନୀ ଦିଲ୍ଲୀପ କୁମାର ସାହୁ ଓ ସହଯୋଗୀ କୁଳମଣି ମିଶ୍ର ଓରଫ କୁଲୁକୁ ଗିରଫ କରାଯାଇଥିଲା। ହିମାଚଳପ୍ରଦେଶର ଲାବୋରେଟ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡିଆ ଲିମିଟେଡରୁ ‘ଏସକଫ୍’ ଆସିଥିବା ଜଣାପଡ଼ିବା ସତ୍ତ୍ବେ ପୁଲିସର ତଦନ୍ତ କିନ୍ତୁ ଆଗକୁ ବଢ଼ିପାରିଲା ନାହିଁ।୨୦୨୧, ଜୁନ ୧୧ ତାରିଖରେ ବିଡାନାସୀ କନିକା ଛକ ଅଞ୍ଚଳରେ ଡ୍ରଗସ୍ କଣ୍ଟ୍ରୋଲ ଅଫିସ ପକ୍ଷରୁ ‘ମେଡିଲୟଡ ମେଡିକାମେଣ୍ଟ ପ୍ରାଇଭଟେ୍ ଲିମିଟଡ୍’ ନାଁରେ ଏକ ସଂସ୍ଥାରୁ ୭୦ ଲକ୍ଷ ଟଙ୍କାର କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ଫାବିମ୍ୟାକ୍ସ ଟାବ୍ଲେଟ୍ ଜବତ କରାଯାଇଥିଲା। ସେହି ଘଟଣାରେ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ବିଡ଼ାନାସୀ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଶିବ ଜେନା ଓ ପତ୍ନୀ ଶୁଭଲକ୍ଷ୍ମୀ ଜେନାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ପୁଲିସ କଟକ ସମେତ ୧୪ଟି ଜିଲ୍ଲାରେ ଏକକାଳୀନ ଚଢ଼ଉ କରି ଔଷଧ ଜବତ କରିଥିଲା। କିନ୍ତୁ ନକଲି ଔଷଧ ଯୋଗାଇଥିବା ହିମାଚଳପ୍ରଦଶେର ସୋଲାନର ମ୍ୟାକ୍ସ ରିଲିଫ୍ ହେଲଥ୍ କେୟାର ସଂସ୍ଥାର କୌଣସି ସ୍ଥିତି ନଥିବା ଜଣାପଡ଼ିଥିଲା। ୨୦୨୨ ଜାନୁଆରି ୨୯ରେ ମଧୁପାଟଣା କାଜିଡିହରୁ ୪ ଲକ୍ଷ ୭୪ ହଜାର ଟଙ୍କାର ‘ଏସକଫ୍’ କଫ୍ ସିରପ୍ ମାମଲାରେ ରାଜେନ୍ଦ୍ରନଗରର ବିଶ୍ବଜିତ ଦାସଙ୍କୁ ପୁଲିସ ଗିରଫ କରିଥିଲା। ଏହି କଫ୍ ସିରପ୍ ହିମାଚଳପ୍ରଦେଶ ଓ କଲିକତାରୁ ଆମଦାନୀ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ, ରାଜ୍ୟ ବାହାରର ଏହି ମାଫିଆଙ୍କ ପାଖରେ ପୁଲିସ ପହଞ୍ଚି ପାରି ନଥିଲା।
ଏବେ ପୁରୀଘାଟ ଥାନା ପୁଲିସ ଗଲା ୧୦ ତାରିଖରେ ନକଲି ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଓ ଟେଲମା ଏ.ଏସ୍ ମାମଲାରେ ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସ୍ର ସଞ୍ଜୟ ଜଲାନଙ୍କୁ ଗିରଫ କରି ୫୩ ଲକ୍ଷ ଟଙ୍କାର ଔଷଧ ଓ ବ୍ୟାଙ୍କ୍ ଆକାଉଣ୍ଟରୁ ୪୦ ଲକ୍ଷ ଟଙ୍କା ଜବତ କରିଛି। ନକଲି ଔଷଧ ଯୋଗାଇଥିବା ବିହାର ଗୟାର ବାଲାଜୀ ଡ୍ରଗସ୍ ଓ କର୍ଣ୍ଣାଟକ ବେଙ୍ଗାଲୁରୁର ଶିବାଜୀ ନଗରର ଶ୍ରୀ ବାଲାଜି ଏଜନ୍ସିକୁ ଠାବ କରାଯାଇଛି। କିନ୍ତୁ, ପୁଲିସ ରାଜ୍ୟ ବାହାରର ଏହି ନକଲି ଔଷଧ ମାଫିଆଙ୍କ ପାଖରେ ପହଞ୍ଚି ପାରିବ କି ନାହିଁ, ତାହାକୁ ନେଇ ସନ୍ଦେହ ରହିଛି। ଏ କ୍ଷେତ୍ରରେ ପୁଲିସର ବିଫଳତାର ପରୋକ୍ଷରେ ନକଲି ଔଷଧ ବେପାରୀଙ୍କୁ ପ୍ରୋତ୍ସାହିତ କରୁଥିବା କୁହାଯାଉଛି।