ଉଦଳା, ୨୧|୦୮: ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସିର ୩ ନମ୍ବର ୱାର୍ଡରେ ।
ସୂଚନା ଅନୁସାରେ, ୩ ନମ୍ବର ୱାର୍ଡର ମିତାରାଣୀ ମଲ୍ଲିକ ରବିବାର ସକାଳେ ମର୍ଣ୍ଣିଂ ୱାକରେ ଯାଇଥିଲେ । ଘର ଠାରୁ ମାତ୍ର କେଇ ମିଟର ଦୂର ଯାଇଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲେ । ମିତାରାଣୀ ଠିକଣା ଜାଣି ନ ଥିବା କହିବା ପରେ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ମିତାରାଣୀ ପିନ୍ଧିଥିବା ସୁନାଚେନକୁ ଛିଣ୍ଡାଇ ନେଇଥିଲା । ହେଲେ ମିତାରାଣୀ ଚେନକୁ ଧରି ରଖିବାକୁ ଚେଷ୍ଟା କରିବାରୁ ଚେନଟି ଛିଣ୍ଡି ଯାଇଥିଲା ଏବଂ ଲୁଟେରାମାନେ ଛିଣ୍ଡା ଚେନକୁ ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ ।
ତେବେ ଅଧା ଛିଣ୍ଡା ସୁନାଚେନ ମିତାରାଣୀଙ୍କ ପାଖରେ ରହିଥିବା ବେଳେ ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଲୁଟ ହୋଇଥିବା ସୁନାଚେନର ମୂଲ୍ୟ ତିରିଶ ହଜାର ଟଙ୍କା ହେବ ବୋଲି ଜଣାଯାଇଛି ।