ନୂଆଦିଲ୍ଲୀ ୧୬/୦୬: ଆୟାର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜରେ ଦଳର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ୧୭ ସଦସ୍ୟ ବିଶିଷ୍ଟ ଟିମରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଥର ପାଇଁ ଟିମରେ ସ୍ଥାନ ମିଳିଛି । ସେହିପରି ସଞ୍ଜୁ ସାମସନ୍ ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରିଛନ୍ତି ।
ତେବେ ଏପରି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଦଳରେ ସ୍ଥାନ ମିଳିନି । ଏହି ତାଲିକାରେ ରାହୁଲ ତେଓ୍ୱାତିଆ ରହିଛନ୍ତି । ସେ ଆଇପିଏଲ ୨୦୨୨ରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ଗୁଜୁରାଟକୁ ଚାମ୍ପିଅନ କରିବାରେ ତେଓ୍ୱାତିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ଆୟାର୍ଲାଣ୍ଡ ଗସ୍ତରେ ତାଙ୍କୁ ସୁଯୋଗ ନମିଳିବାରୁ ସେ ନିରାଶ ହୋଇଛନ୍ତି ।
ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆଶାରେ ଆଘାତ ଲାଗିଛି । ଅର୍ଥାତ ଯାହା ଆଶା ଥିଲା ତାହା ମଳୀନ ପଡିଯାଇଛି ।
ସୂଚନାଯୋଗ୍ୟ, ସେ ଗୁଜୁରାଟ ପକ୍ଷରୁ ଆଇପିଏଲରେ ଫିନିଶର ରୋଲ୍ ନିଭାଇଥିଲେ । ୧୬ଟି ମ୍ୟାଚରୁ ସେ ୧୪୭.୬୨ ଆଭରେଜରେ ୨୧୭ ରନ୍ କରିଥିଲେ । ଏପରିକି ପଞ୍ଜାବ କିଙ୍ଗସ୍ ବିପକ୍ଷ ଏକ ମ୍ୟାଚରେ ଶେଷ ଦୁଇ ବଲରେ ଦୁଇଟି ଛକା ଲଗାଇ ସେ ଦଳକୁ ବିଜୟୀ କରାଇଥିଲେ ।