ଆନନ୍ଦପୁର ୧୪।୦୬: ଚାଷ ଜମିରୁ ମା-ପୁଅଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁରୁ ଠାବ ହୋଇଛି ମୃତଦେହ । ମୃତ ପୁଅଙ୍କ ନାମ ସନ୍ତା ଦାସ ଓ ମା ଜେମା ଦାସ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ନନ୍ଦିପଦା ଥାନା ଜାବିନପୁର ଗାଁରେ ଏକ ବିଲରେ ମା-ପୁଅଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ନନ୍ଦିପଦା ଥାନା ଶାଳନିଆଁ ପଞ୍ଚାୟତ ମନହରପୁର ଗାଁରେ ରୁହନ୍ତି । ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି ଏହି ଅଞ୍ଚଳରେ ଭିକ ମାଗି ଗୁଜୁରାଣ ମେଣ୍ଟାଉଥିଲେ। ତେବେ କିଭଳି ଓ କାହିଁକି ଉଭୟ ମୃତ୍ୟୁ ହେଲା, ତାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।