ବିନିକା ୧୯।୦୯ : ଦାବି ପରେ ଦାବି କରିଚାଲିଲେ । ହେଲେ ଶୁଣିଲେନି କୌଣସି ପ୍ରଶାସନିକ ଅଧିକାରୀ । ଶେଷରେ ନିଜ ହକ୍ ପାଇଁ ସୋନପୁର ଜିଲ୍ଲା ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ କହିବାନୁଯାୟୀ, ଗାଁରେ ଥିବା ଗୋଚର ଓ ଜଙ୍ଗଲ ଜମିକୁ ସ୍ଥାନୀୟ ରାଜସ୍ବ ଅଧିକାରୀ, ଫରେଷ୍ଟର କେତେକ ଲୋକଙ୍କ ସହାୟତାରେ ଚାଷ କରି ବିପୁଳ ମାତ୍ରାରେ ଟଙ୍କା ଆଦାୟ କରି ଆସୁଛନ୍ତି । ଯାହାକି ଗାଁର ଗାଈ ଗୋରୁ ଚରାଇବା ଓ ଖାଦ୍ୟ ଅନ୍ବେଷଣରେ ଗୋପାଳକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜବରଦଖଲ ହୋଇଥିବା ଜମିର ତଦନ୍ତ ପୂର୍ବକ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲେ । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ୩ଥର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ହେଲେ ସେମାନଙ୍କ କଥାକୁ ଶୁଣିନାହିଁ ପ୍ରଶାସନ ।ଶେଷରେ ବାଧ୍ୟ ହୋଇ ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ସମସ୍ୟାର ସମାଧାନ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ ।