ପୁରୀ, ୩୧।୧୨: ଶ୍ରୀମନ୍ଦିରରେ ୱାର୍ଡୱାରୀ ଦର୍ଶନର ଶେଷ ଦିନରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ପୁରୀ ବାସିନ୍ଦାଙ୍କ ସମେତ ସହରରେ ରହୁଥିବା ଭଡ଼ାଟିଆ, ସରକାରୀ କର୍ମଚାରୀ ଶୃଙ୍ଖଳିତ ଦର୍ଶନ କରିଛନ୍ତି। ଆସନ୍ତାକାଲି ଜାନୁଆରୀ ପହିଲା ଏବଂ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ତେବେ ଶ୍ରୀମନ୍ଦିର ବାହାରୁ ପତିତପାବନଙ୍କ ଦର୍ଶନ କରିହେବ । ଏପଟେ ନୂଆବର୍ଷ ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।
ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିଛି ତେବେ ଗତ ୨୬ରୁ କେବଳ ପୁରୀର ବିଭିନ୍ନ ୱାର୍ଡର ଲୋକ ଦର୍ଶନ କରିଛନ୍ତି । ଆଜି ୱାର୍ଡୱାରୀ ଦର୍ଶନର ଶେଷଦିନରେ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା । ୩ଟି ୱାର୍ଡ଼ ବାସୀଙ୍କ ସହ ପୁରୀରେ ରହୁଥିବା ଭଡ଼ାଟିଆ, ସରକାରୀ କର୍ମଚାରୀ ଏବଂ କର୍ମଜୀବୀମାନେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଦୀର୍ଘ ୯ ମାସ ପରେ ଶ୍ରୀଜୀଉଙ୍କ ଦର୍ଶନ ପାଇ ଆତ୍ମ ବିଭୋର ହୋଇଛନ୍ତି ।
ନୂଆବର୍ଷରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖରେ ଜଗା ଦର୍ଶନ ବନ୍ଦ ରହିଛି। କେବଳ ସିଂହଦ୍ବାର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରିହେବ । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଛି । ନୂଆବର୍ଷ ପାଇଁ ସମୁଦ୍ର ବେଳାଭୂମିରେ ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ପୁରୀ ଏସପି କହିଛନ୍ତି। ରାଜ୍ୟ ସରକାର ଗୁରୁବାର ରାତି ୧୦ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ୧୪୪ ଜାରି କରିଛି।
ଆସନ୍ତା ୩ତାରିଖରୁ ସମସ୍ତେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ । ତେବେ ପୁରୀ ସହର ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଜରୁରୀ । ଏହାସହ ଦର୍ଶନ ସମୟରେ ସମସ୍ତେ କୋଭିଡ ଗାଇଡଲାଇନ୍ ପାଳନ କରିବେ । ନୂଆବର୍ଷରେ ଜଗା ଆଖିରେ ଆଖି ମିଶାଇ ଦର୍ଶନ କରିବାକୁ ଚାହିଁ ବସିଛନ୍ତି ସବୁ ଜଗନ୍ନାଥପ୍ରେମୀ ।