ଅଯୋଧ୍ୟା : ଲଙ୍କା ବିଜୟ ଓ ବନବାସ ପରେ ଭଗବାନ ରାମଙ୍କ ଅଯୋଧ୍ୟା ଆଗମନ ଖୁସିରେ ରାମନଗରୀ ଆଜି ଦୀପରେ ଝଲସି ଉଠିବ । ଦୀପୋତ୍ସବରେ ବୁଧବାର ଅଯୋଧ୍ୟାର ସରୟୁ ନଦୀତଟରେ ସାଢେ ସାତ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହେବ। ଏହି ଭବ୍ୟ ଦୀପୋତ୍ସବରେ ୩୬ ହଜାର ଲିଟର ତେଲ ବ୍ୟବହାର ହେବ । ୧୨ ହଜାର ସ୍ୱେଚ୍ଛାସେବୀ ଦୀପ ଜଳାଇ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିବେ, ଯାହାକୁ ଆଜି ଦୁନିଆ କୋଣ ଅନୁକୋଣରୁ ଦେଖିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ୨୦୧୭ରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେହି ବର୍ଷ ପ୍ରାୟ ୧.୮୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ୨୦୧୮ରେ ଦୀପ ସଂଖ୍ୟା ବଢି ୩,୦୧,୧୫୨ରେ ପହଞ୍ଚିଥିଲା । ଏହି ପରି ୨୦୧୯ରେ ସଂଖ୍ୟା ବଢି ୫.୫୦ ଲକ୍ଷକୁ ବୃଦ୍ଧି ଘଟିଥିଲା । ୨୦୨୦ରେ ୫.୫୧ ଲକ୍ଷ ଦୀପ ଜଳାଯାଇଥିଲା । ଆଉ ଚଳିତ ବର୍ଷ ଅର୍ଥାତ ଆଜି ଅଯୋଧ୍ୟା ୭.୫୦ ଲକ୍ଷ ଦୀପରେ ଝଲସି ଉଠିବ । ଏଥିରେ ନୂତନ ରେକର୍ଡ ମଧ୍ୟ ସ୍ଥାପନ ହେବ ।