ମହାନଦୀରେ ଜନ୍ମ, ନନ୍ଦନକାନନରେ ବନ୍ଦୀ

ଅନୁଗୁଳ : ଦୀର୍ଘ ୪୦ ବର୍ଷର ବ୍ୟବଧାନରେ ସାତକୋଶିଆ ପାଇଁ ଆସିଥିଲା ଏକ ଖୁସି ଖବର। କୁମ୍ଭୀର ଅଣ୍ଡାକୁ କୃତ୍ରିମ ଉପାୟରେ ଫଟାଇ ସେଥିରୁ ଛୁଆ ବାହାର କରିବା ତ ସାଧାରଣ କଥା ଥିଲା, ତେବେ ପ୍ରକୃତି କୋଳରେ ଘଡ଼ିଆଳ କୁମ୍ଭୀର ଶାବକ ଜନ୍ମଦେବା କେବଳ ସାତକୋଶିଆ ନୁହେଁ ପୂରା ଓଡ଼ିଶା ଲାଗି ଥିଲା ବିରଳ ଘଟଣା। ଯେଉଁ ପ୍ରାକୃତିକ ପରିବେଶ ଭିତରେ ଜନ୍ମ ହୋଇଛି ବୋଲି ବନ ବିଭାଗ ଖୁସିବ୍ୟକ୍ତ କରୁଥିଲା, ସେହି ଘଡ଼ିଆଳ ଶାବକଙ୍କୁ ନନ୍ଦନକାନନରେ ବନ୍ଦୀ କରି ରଖାଯାଉଛି। ମହାନଦୀର ତଳ ଅବବାହିକାରୁ ବିଭିନ୍ନ ବନଖଣ୍ଡରୁ ୫ଟି ଘଡ଼ିଆଳ ଉଦ୍ଧାର ହେବାପରେ ତାକୁ ଆବଦ୍ଧ ପାଣିରେ ରଖାଯିବାକୁ ନେଇ ପରିବେଶବିତ୍‌ ପ୍ରଶ୍ନ ଉଠାଇଛନ୍ତି। ଯଦି ନଦୀରୁ ନେଇ ପୋଷିବାର ଯୋଜନା ଥିଲା, ତା’ହେଲେ ନନ୍ଦନକାନନରେ ଅଣ୍ଡାରୁ ଛୁଆ ଫୁଟାଇ ମହାନଦୀରେ ଛାଡ଼ୁଛନ୍ତି କାହିଁକି ବୋଲି ପଚାରିଛନ୍ତି।

ତଥ୍ୟ ମୁତାବକ, ଦୁଇବର୍ଷ ମଧ୍ୟରେ ସାତକୋଶିଆ ଗଣ୍ଡରେ ମା’ ଘଡ଼ିଆଳ ଯଥାକ୍ରମେ ୨୮ ଓ ୩୩ଟି ଶାବକକୁ ଜନ୍ମ ଦେଇଛି। ତନ୍ମଧ୍ୟରୁ ଗଲା ଏପ୍ରିଲ୍‌ ମାସଠାରୁ ଏଯାବତ୍‌ ମୋଟ୍ ୫ଟି ଘଡ଼ିଆଳ ଶାବକଙ୍କୁ ବିଭିନ୍ନ ଜାଗାରୁ ଉଦ୍ଧାର କରାଯାଇଥିଲା। ଏମିତିକି, ମହାନଦୀ ଗଣ୍ଡରୁ ଘଡ଼ିଆଳ ଶାବକ ଭାସି ଭାସିଯାଇ ପୁରୀ କେନାଲ୍‌, କେନ୍ଦ୍ରାପଡ଼ା ଏବଂ ଆଠଗଡ଼ ବନଖଣ୍ଡରେ ପହଞ୍ଚିଥିଲେ। ଗତ ଅଗଷ୍ଟ ୪ ତାରିଖରେ ବଡ଼ମ୍ବା ବାଙ୍ଗେରିସିଂହା ଗାଁରୁ ଏକ ଶାବକକୁ ଉଦ୍ଧାର କରାଯାଇଥିବା ବେଳେ ଚଳିତ ମାସ ୬ ତାରିଖ ଦିନ ବଡ଼ମ୍ବା ଗୋପୀନାଥପୁର ଗାଁ ନଦୀକୂଳରୁ ଆଉ ଏକ ଶାବକକୁ ଉଦ୍ଧାର କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଉଦ୍ଧାର ଶାବକଙ୍କ ଲମ୍ବା ପ୍ରାୟତଃ ୯୦ ସେଣ୍ଟିମିଟର ଓ ଓଜନ ପ୍ରାୟ ଏକ କେଜିରୁ ଅଧିକ। ଜନ୍ମ ସମୟରେ ଶାବକର ଲମ୍ବା ପ୍ରାୟତଃ ୩୦ସେଣ୍ଟିମିଟର ଥାଏ। ଉଦ୍ଧାର ଶାବକଙ୍କ ଲମ୍ବା ଯେହେତୁ ତିନି ଗୁଣ ଅଧିକ ରହିଛି, ତେଣୁ ଉଦ୍ଧାର ଘଡ଼ିଆଳ ଏ ବର୍ଷର ଜନ୍ମିତ ଶାବକ ନୁହେଁ, ଗଲାବର୍ଷର ବୋଲି ବିଭାଗ ସ୍ପଷ୍ଟ କରିଛି।

ତେବେ, ଶାବକଙ୍କୁ ଉଦ୍ଧାର ପରେ ସେମାନଙ୍କୁ ନନ୍ଦନକାନନକୁ ପଠାଇ ଦିଆଯାଇଛି। ସେଠାରେ ତାଙ୍କୁ ଆବଦ୍ଧ ପାଣି ଭିତରେ ରଖି ଖାଦ୍ୟଦେଇ ପୋଷା ଚାଲିଛି। ତା’ରି ଭିତରେ ୫ଟି ଘଡ଼ିଆଳ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇସାରିଲାଣି। ଗଲା ପ୍ରାୟ ୬ ମାସ ହେଲା ଶାବକଗୁଡ଼ିକ ନନ୍ଦନକାନନ ଭିତରେ ପୋଷା ପାଲଟିବା ନେଇ ପରିବେଶପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ମା’ ଘଡ଼ିଆଳ ଦ୍ବିତୀୟବାର ଛୁଆ ଜନ୍ମ ଦେଇସାରିଲାଣି। କିନ୍ତୁ, ଗଲାବର୍ଷର ବଡ଼ ଛୁଆଙ୍କୁ ବନ ବିଭାଗ କାହିଁକି କୃତ୍ରିମ ପରିବେଶ ଭିତରେ ବନ୍ଦୀ କରି ପୋଷା ବନାଉଛି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ବନ୍ୟପ୍ରାଣୀ ପୋଷା ବନିଗଲା ପରେ ପ୍ରକୃତିରେ ତିଷ୍ଠିବା କାଠିକର ପାଠ। ପ୍ରକୃତିରେ ଜନ୍ମ ହୋଇଥିବା ଘଡ଼ିଆଳଙ୍କୁ ନନ୍ଦନକାନନରେ ବନ୍ଦୀ କରା ନଯାଉ। ଏମାନେ ପୋଷା ପ୍ରକୃତିକୁ ଗ୍ରହଣ କରିବା ପୂର୍ବରୁ ସେମାନଙ୍କୁ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ିବାକୁ ବନ୍ୟପ୍ରେମୀଙ୍କ ମହଲରେ ଦାବି ହୋଇଛି।

ଅନ୍ୟପକ୍ଷ‌ରେ, ସାତକୋଶିଆ ଘଡ଼ିଆଳ ପ୍ରକଳ୍ପର ପରାମର୍ଶଦାତା ତଥା ଘଡ଼ିଆଳ ବିଶାରଦ ସୁଦର୍ଶନ ମହାରଣା କହିଛନ୍ତି, ଆମେ ସେମାନଙ୍କର ଚିକିତ୍ସା ପାଇଁ ନନ୍ଦନକାନନରେ ରଖିଛୁ । ଆସନ୍ତା ଡିସେମ୍ବର ମାସରେ ଘଡ଼ିଆଳଙ୍କୁ ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯିବ ବୋଲି ସେ କହିଛନ୍ତି।