ଭ୍ରମଣ କାହାଣୀ: ଡାଲ୍‌ ଲେକ୍‌ର ଶିକାରାବାଲା

ଅବସର ନେବାର ସମୟ ପାଖେଇ ଆସିଥିଲା। ଗୋଟେ ଏଲ୍‌ଟିସି, ଆଉ କିଛି ଛୁଟି ବାକି ଅଛି। ସରକାରୀ ଚାକିରିରୁ ଅବସର ନେବା ପୂର୍ବରୁ ସ୍ବାମୀ ସ୍ତ୍ରୀ ଦୁଇ ଜଣ କାଶ୍ମୀର ଯିବାର ଯୋଜନା କରିଥିଲେ। ଭାରତ ବାହାରେ ବହୁତ ଜାଗା ବୁଲି ଆସିଛନ୍ତି, କିନ୍ତୁ ଦେଶ ଭିତରେ ଥିବା ଏଇ ସୁନ୍ଦର ଜାଗାଟିକୁ ଦେଖିବାର ସୁଯୋଗ ମିଳି ନ ଥିଲା। ଅଫିସ୍‌ର କର୍ମବହୁଳ ଜୀବନ, ଦ୍ବିତୀୟତଃ ସେତେବେଳେ କାଶ୍ମୀରର ପରିସ୍ଥିତି ଭୟାବହ। କିନ୍ତୁ ଏବେ ପରିସ୍ଥିତି ବହୁତ ବଦଳିଯାଇଛି। କିଛିବର୍ଷ ହେବ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ତଥାପି ବନ୍ଧୁବାନ୍ଧବ ମନା କରୁଥିଲେ କାଶ୍ମୀର ଯିବା ପାଇଁ। କେହି କେହି ସାବଧାନତାର ସହିତ ଯିବାକୁ ଚେତାବନୀ ଦେଇଥିଲେ। ତଥାପି ସାହସ କରି ବାହାରିଥିଲେ ସେମାନେ।

ଶ୍ରୀନଗର ଏୟାରପୋର୍ଟରେ ବାହାରକୁ ଆସି ଯେତେବେଳେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ପୋଲିସ୍‌ ଦେଖିଥିଲେ, ସେମାନେ ଡରିଯାଇଥିଲେ ମନେ ମନେ। ଭାବୁଥିଲେ ଆସିକି କିଛି ଭୁଲ୍‌ କଲେନି ତ? କିନ୍ତୁ ତାଙ୍କ ସ୍ବାଗତ ପାଇଁ ଆସିଥିବା ବ୍ୟକ୍ତି ଜଣକ ଅତି ସୁନ୍ଦର ଭାବରେ ଆଦର ସହ ଅଭ୍ୟର୍ଥନା କରି ଆଶ୍ୱାସନା ଦେଇଥିଲା ଯେ କିଛି ଡରିବାର ନାହିଁ। ଅଳ୍ପ ସମୟ ଭିତରେ ଜଣାପଡ଼ିଯାଇଥିଲା ଯେ ଏଠାକାର ଲୋକମାନେ ଦେଖିବାକୁ ଯେମିତି ସୁନ୍ଦର, ସେମିତି ମିଷ୍ଟଭାଷୀ ଆଉ ପରୋପକାରୀ ବି। ଲୋକଙ୍କ ବେଶଭୂଷା ଓ ଚେହେରା ମନକୁ ମୋହି ନେଇଥିଲା। ବେଶି ଭାଗ ଲୋକ ସ୍ଥାନୀୟ ପୋଷାକ ‘ଫେରନ’ ପିନ୍ଧିଥିଲେ। ଢିଲା କୁର୍ତ୍ତା ଭିତରୁ ଗୋରା ଗୋଲାପୀ ମୁହଁମାନ ସୁନ୍ଦର ଦିଶୁଥିଲା। ସେମାନେ ବହୁତ ସରଳ ଆଉ ଶାନ୍ତ ଦେଖାଯାଉଥିଲେ। ସାଙ୍ଗରେ ଥିବା ସହକର୍ମୀ ଜଣଙ୍କର ଆତ୍ମୀୟତାରେ ଖୁସି ହୋଇଯାଇଥିଲେ ସେହି ଦମ୍ପତି। ହୋଟେଲ୍‌ ଆସି ଜିନିଷ ରଖି ପୁଣି ବାହାରିଯାଇଥିଲେ ସହର ଭ୍ରମଣରେ। ଅନେକ ଛୋଟ ଛୋଟ ମନ୍ଦିର ଆଉ ମୋଗଲ ସମୟର ସୁନ୍ଦର ବଗିଚା। ରାସ୍ତାରେ ଯିବା ବେଳେ ଫଳ ଫୁଲରେ ଲଦି ହୋଇଥିବା ଗଛର ଦୃଶ୍ୟ, ମନରେ ଭରି ଦେଇଥିଲା ଅପାର ଉତ୍ସାହ ଆଉ ଉଦ୍ଦୀପନା। ବୁଲୁ ବୁଲୁ ଅପରାହ୍‌ଣ ସମୟ ହୋଇ ଆସିଲା। ସହକର୍ମୀ ଜଣଙ୍କ ନେଇ ଯାଇଥିଲେ କାଶ୍ମୀର ପ୍ରସିଦ୍ଧ ‘ୱାଜୱାନ’ ହୋଟେଲ୍‌କୁ। ହୋଟେଲ୍‌ ବାହାରୁ ମସଲାର ବାସ୍ନାରେ ଭୋକ ଆହୁରି ବଢ଼ିଯାଇଥିଲା। ଅସଲି କାଶ୍ମୀର ଖାଦ୍ୟର ମଜା ନେଇଥିଲେ। କାଶ୍ମୀରୀ ଖାଦ୍ୟର ସ୍ବାଦ ହିଁ ନିଆରା।

ଖାଇବା ପରେ ସହକର୍ମୀ ଜଣଙ୍କ ଭ୍ରମଣ ପାଇଁ ଦୁହିଁଙ୍କୁ ନେଇ ଯାଇଥିଲେ ଶିକାରାରେ। ସେମାନେ ଆଗରୁ ଦେଖିଥିଲେ ଡାଲ ଲେକ୍‌ ବହୁ ଚଳଚ୍ଚିତ୍ର ଆଉ ଦୂରଦର୍ଶନ ପରଦାରେ। କିନ୍ତୁ ପ୍ରଥମ ଥର ପାଇଁ ପାଖକୁ ଯାଇ ଲେକ୍‌ ଭିତରେ ଏତେ ପରିମାଣରେ ରଙ୍ଗବେରଙ୍ଗ ସୁସଜ୍ଜିତ ଦୋଳାୟମାନ ଶିକାରା ସବୁ ଦେଖି, କିଛି ସମୟ ପାଇଁ ବିସ୍ମିତ ଆଉ ସ୍ତବ୍ଧ ହୋଇଯାଇଥିଲେ। ସେ ଥିଲା ଏକ ଅପୂର୍ବ ଦୃଶ୍ୟ ଏବଂ ଅତ୍ୟନ୍ତ ମ‌େନାମୁଗ୍ଧକର। ଶିକାରାବାଲାମାନେ ଘେରି ଆସି ଡାକ ଦେଉଥିଲେ ସେମାନଙ୍କୁ ଶିକାରାରେ ବସିବା ପାଇଁ। ସହକର୍ମୀ ଜଣକ ସ୍ଥାନୀୟ ଭାଷାରେ କଥା ହୋଇ ଠିକ୍‌ କରିଦେଇଥିଲେ ଶିକାରାଟିଏ। ମୂଲଚାଲ କରି ଶିକାରାଟିରେ ବସାଇଦେଇ ଚାଲିଯାଇଥିଲେ ଅନୁମତି ନେଇ। ବୁଢ଼ା ଶିକାରାବାଲାଟି ସ୍ନେହରେ ହାତ ଧରି ଟାଣି ନେଇ ବସାଇ ଦେଇଥିଲା। ପାଖାପାଖି ବସି ଦିହେଁ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ଲେକ୍‌ ଭିତରେ ଶହ ଶହ ଶିକାରା, ଭିନ୍ନ ଭିନ୍ନ ରଙ୍ଗ ଆଉ ସାଜସଜ୍ଜା। ଅନେକ ଶିକାରାରେ ନବବିବାହିତ ଦମ୍ପତି। କିଛି ଶିକାରାରେ ବିକ୍ରି ହେଉଥିଲା କାଶ୍ମୀର ମସଲା, ଶାଲ, ଗରମ ପୋଷାକ, ନାନା ରକମର ଫଳ ଫୁଲ ଓ ଅନ୍ୟାନ୍ୟ ଖାଦ୍ୟପଦାର୍ଥ।

ହ୍ରଦର ଚାରିପଟେ ସୁନ୍ଦର ପର୍ବତ ଆଉ ନିର୍ମଳ ପାଣି ଉପରେ ଭାସୁଥିବା ଅଗଣିତ ଶିକାରା, ପ୍ରକୃତିର ଏ ଅଭିନବ ସୌନ୍ଦର୍ଯ୍ୟକୁ ଯେମିତି ଶତଗୁଣ କରିଦେଉଥିଲା।
ପାଖ ଶିକାରା ବ୍ୟବସାୟୀମାନଙ୍କର ବିକ୍ରି ଡାକରେ ବ୍ୟସ୍ତ ହୋଇପଡ଼ିଥିଲେ ଦମ୍ପତି। ଶିକାରାବାଲାଟି ବୁଝିପାରିଥିଲା ତାଙ୍କ ମନକଥା। ତେଣୁ ନେଇଯାଇଥିଲା ଗହଳିଠାରୁ ଭିନ୍ନ ଦିଗରେ। ବୁଝାଇଚାଲିଲା ସେଠିକା ଚଳଣି ଆଉ ସଂସ୍କୃତି ବିଷୟରେ। ଏହି ଡାଲ୍‌ ଲେକ୍‌ ହିଁ ଲୋକମାନଙ୍କର ମୁଖ୍ୟ ରୋଜଗାର ସ୍ଥଳୀ। ବର୍ଷର ଅଧା ସମୟ ଏଇଥିରୁ ପଇସା ରୋଜଗାର କରନ୍ତି। କାରଣ ଦୁଇ ତିନି ମାସ ବରଫ ଯୋଗୁ ଶିକାରା ଚାଲେ ନାହିଁ। ସେ ସମୟରେ ବ୍ୟବସାୟ ପୂରା ବନ୍ଦ। ଲୋକ ନିତିଦିନିଆ କାମ ପାଇଁ ବି ଶିକାରା ଉପରେ ନିର୍ଭର କରନ୍ତି। ସ୍କୁଲ, କଲେଜ, ହସ୍‌ପିଟାଲ୍‌ ସବୁ ପାଣି ଉପରେ କାଠ ଘରେ। ଏଇ କିଛିଦିନ ସବୁ ଆରାମ। ପୁଣି ଥଣ୍ଡାଦିନ ଆସିଲେ, ସବୁ ବନ୍ଦ। ପର୍ଯ୍ୟଟକ ବି କମିଯିବେ, ତେଣୁ ଯାହା କିଛି କମେଇବା କଥା ଏଇ କିଛିମାସରେ। କହିଚାଲିଥାଏ ବୁଢ଼ାଟି ତାର ଆବେଗଭରା କଣ୍ଠରେ। ଲୋକଙ୍କର କିଛି ଭୁଲ୍‌ ଧାରଣା ରହିଛି କାଶ୍ମୀର ବାସୀଙ୍କ ଉପରେ। ସେମାନେ କିନ୍ତୁ ପରସ୍ପର ଭିତରେ ସହଯୋଗ ଓ ସହମତି ଯୋଗୁ ବଞ୍ଚାଇ ରଖିପାରିଛନ୍ତି ନିଜର ସଂସ୍କୃତି ଓ ପରିଚୟ। ଥଣ୍ଡା ପବନ ଆଉ ତା’ ସାଙ୍ଗକୁ କାଶ୍ମୀରର ସାମାଜିକ ଆଉ ସମୃଦ୍ଧିର ଏକ ନୂଆ ରୂପ ଝଲକାଇ ଦେଉଥିଲା ପତି ପତ୍ନୀଙ୍କୁ। ଶିକାରାବାଲାଟିର ହସ ହସ ମୁହଁ ଆଉ ସୁନ୍ଦର ଅଭିବ୍ୟକ୍ତି ଗାଇଡ୍‌ର ଅଭାବ ପୂରା କରିଦେଇଥିଲା।
କଥା ହେଉ ହେଉ ତା’ର ନାଁ ଆଉ ପରିବାର ବିଷୟରେ ସେମାନେ ପଚାରି ବୁଝିଥିଲେ। ରେହେମାନକୁ ପଚାଶ ବର୍ଷ, ଆଉ ଶିକାରା ଚଲେଇବାର ଅଭିଜ୍ଞତା ତିରିଶ ବର୍ଷରୁ ବେଶୀ। ପରିବାରରେ ସ୍ତ୍ରୀ ଆଉ ଦୁଇଟି ଛୋଟ ପୁଅ ଝିଅ। ଏବେ ସ୍କୁଲ୍‌ରେ ପଢୁଛନ୍ତି। ‘ଏତେ ଛୋଟ ପିଲା? କ’ଣ ଡେରିରେ ବାହା ହୋଇଥିଲ କି?’ ପଚାରି ଦେଇଥିଲେ ସ୍ତ୍ରୀ ଲୋକ ଜଣକ। କ୍ଷୁଦ୍ର ସ୍ମିତ ହସଟିଏ ହସିଦେଇ ଆଗେଇ ନେଇ ଯାଇଥିଲା ଶିକାରାଟିକୁ ସେ ଆଗକୁ ଆଗକୁ। ଶିକାରାଟି ଦୋହଲି ଦୋହଲି ଚାଲିଥାଏ ପାଣିର ଗତି ସହ ତାଳଦେଇ ଆଉ ପତି ପତ୍ନୀ ମଜ୍ଜିଯାଇଥାନ୍ତି ଶିକାରାବାଲାଟିର ମଧୁର କଥାଶୈଳୀରେ। କାଶ୍ମୀର ଆଉ କାଶ୍ମୀରର ଲୋକଙ୍କ ପ୍ରତି ଥିବା ଧାରଣା ପରିବର୍ତ୍ତନ ହେଉଥିଲା ଦିହିଙ୍କ ମନରେ। ମନେ ମନେ ଖୁସି ହେଉଥିଲେ ଏତେ ଦିନ ପରେ ଏହି ସୁଯୋଗଟା ପାଇଥିବା ପାଇଁ। ଆଗରେ ଅନେକ ହାଉସ୍‌ ବୋଟ୍‌, କାରୁକାର୍ଯ୍ୟରେ ଭର୍ତ୍ତି। ପାଣିରେ ଦୋଳାୟମାନ ଘରଗୁଡ଼ିକ ଦେଖି ଆଶ୍ଚର୍ଯ୍ୟ ହୋଇ ସେ ବିଷୟରେ କଥା ହେଉଥିଲେ। ଆଉ ଜିଜ୍ଞାସା ଥିଲା ଘରଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ।

ତାଙ୍କ ମନକଥା ବୋଧହୁଏ ବୁଝିପାରିଥିଲା ଶିକାରାବାଲାଟି। ଶିକାରାକୁ ନେଇଯାଇଥିଲା କିଛି ଦୂରକୁ ଆଉ ରଖିଦେଇଥିଲା ସବୁଠୁ ସୁନ୍ଦର କାଠଘରଟି ପାଖରେ। ସେ କହିଲା ଯେ, କାଠଘରଟିର ମାଲିକ ତା ଚିହ୍ନା ଲୋକ। ସବୁ ବୁଲି ଦେଖିପାରିବେ। ଦ୍ୱିଧାରେ ପଡ଼ିଯାଇଥିଲେ ଦମ୍ପତି। ମନେପଡ଼ିଯାଉଥିଲା ବନ୍ଧୁବାନ୍ଧବଙ୍କ ଚେତାବନୀ। କିନ୍ତୁ ଶିକାରାବାଲାଟିର ସରଳ, ମିଠା ଆଉ ଆତ୍ମୀୟତା ଭରା କଥା, ତା’ ସାଙ୍ଗକୁ କାରୁକାର୍ଯ୍ୟ ଭରା ସୁନ୍ଦର କାଠଘରଟିକୁ ଦେଖି ଅଟକେଇ ପାରି ନ ଥିଲେ ନିଜକୁ। ମନ୍ତ୍ରମୁଗ୍ଧ ହୋଇ ଚାଲିଥିଲେ ଶିକାରାବାଲାଟିର ପଛେ ପଛେ।

ସେମାନଙ୍କୁ ଭିତରକୁ ନେଇ ପରିଚୟ କରାଇଦେଇଥିଲା କାଠଘରର ମାଲିକଙ୍କ ସହିତ। କାଠଘର ମାଲିକ ଜଣକ ହାତ ମିଳାଇ ପାଛୋଟି ନେଇଥିଲେ ଦୁହିଁଙ୍କୁ, ଆଉ ବୁଲାଇ ଦେଖାଇଥିଲେ କାଠଘର। ଏ ତ ଘର ନୁହେଁ, ପୂରା ରାଜମହଲ। ଛୋଟ ଛୋଟ କୋଠରୀ ସବୁ ନିଖୁଣ ଭାବରେ ସଜ୍ଜିତ, ‘ଅଖରୋଟ’ କାଠରେ ତିଆରି ଆସବାବପତ୍ରରେ ପରଦା, ଟେବୁଲ୍‌ କ୍ଲଥ୍‌ ଆଉ ଚା’ ଦାନିଠାରୁ ଆରମ୍ଭ କରି ମଶାରି ସବୁ ଥିଲା ଅନନ୍ୟ ଆଉ କାଶ୍ମୀର ସଂସ୍କୃତିର ଝଲକ। ଗୋଟେ ପରେ ଗୋଟେ ଶିଡ଼ି ତଳକୁ ତଳ ଯାଇ ଦେଖିଥିଲେ କ୍ଲବ୍‌ରୁମ୍‌, ଡାଇନିଂ ହଲ୍‌, କିଚେନ୍‌। ପ୍ରଶଂସା କରୁଥିଲେ କାରିଗରୀ ଆଉ ସାଜସଜ୍ଜାକୁ। ତଳକୁ ତଳ ଚାଲୁ ଚାଲୁ ଅଟକି ଯାଇଥିଲେ ଦିହେଁ ସାଙ୍ଗରେ ଶିକାରାବାଲାଟିକୁ ନ ଦେଖି। ଭୟଭୀତ ହୋଇଗଲେ। ତେଣୁ ସାଙ୍ଗରେ ଥିବା କାଠଘର ମାଲିକଙ୍କୁ ମିଛରେ କିଛି କାମର ବାହାନା ଦେଖାଇ ଜଲ୍‌ଦି ଜଲ୍‌ଦି ଉଠିଆସିଲେ ପ୍ରବେଶ ଦ୍ବାର ପାଖକୁ। ବାହାରକୁ ଆସି ତଥାପି ଶିକାରାବାଲାଟିର ଦେଖା ନ ପାଇ ଆହୁରି ଭୟଭୀତ ହୋଇଯାଇଥିଲେ। ଅନ୍ଧାର ହୋଇ ଆସୁଥାଏ। ଥଣ୍ଡା କୋହଲା ପବନ, ଆଉ ତା’ ସାଙ୍ଗକୁ ମନରେ ଭୟ। ଥରି ଉଠିଥିଲେ ଦୁହେଁ। ଜାଣିପାରିଥିଲା କାଠଘର ମାଲିକ ଜଣକ। ବୁଝାଇବାକୁ ଚେଷ୍ଟା କରିଥିଲା। ‘କିଛି ଡରନ୍ତୁ ନାହିଁ। ସାମାଜିକ ଆଉ ରାଜନୈତିକ ପରିସ୍ଥିତି ଯୋଗୁ ଆଜି କାଶ୍ମୀରବାସୀ କଷ୍ଟ ପାଉଛନ୍ତି। ସମସ୍ତେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଭାରତୀୟ ହୋଇ ବି ତାଙ୍କୁ ନିଜ ଜନ୍ମଭୂମିରେ ପ୍ରବାସୀଙ୍କ ପରି ରହିବାକୁ ପଡୁଛି। ତାଙ୍କର ଜୀବନଶୈଳୀରେ ବି ବହୁତ ବାଧା ଆଉ ବିପତ୍ତିକୁ ସାମ୍ନା କରିବାକୁ ପଡ଼ିଛି।’ ଦୁହିଁଙ୍କ ମୁହଁକୁ ଚାହିଁ କହିଚାଲିଥାଏ। ‘ଶିକାରାବାଲାକୁ ନ ଦେଖି ଆପଣମାନେ ଚିନ୍ତିତ, କିନ୍ତୁ ଡରନ୍ତୁ ନାହିଁ। ଏଇ ଅଳ୍ପ ସମୟରେ ଆସିଯିବ। ତାର ଘର ଏଇ କାଠଘର ପଛରେ। ଏବେ ଫେରିବା ବେଳକୁ ଆପଣମାନଙ୍କୁ ବହୁତ ଥଣ୍ଡା ଲାଗିବ। ତେଣୁ ଆପଣମାନଙ୍କ ପାଇଁ କାଂଗଡି (ଗରମ କୋଇଲା ଜଳାଇବାର ପାତ୍ର) ଆଣିବାକୁ ଯାଇଛି। ଆଉ ପାଞ୍ଚ ମିନିଟ୍‌ରେ ଆସିଯିବ। ରେହେମାନ ବହୁତ ଭଲ ଲୋକଟିଏ। ଗଲା କିଛି ବର୍ଷ ତଳେ ତାର ତେଇଶ ବର୍ଷର ପୁଅକୁ ସେ ହରାଇଛି ଆତଙ୍କବାଦୀଙ୍କ ଗୁଳିରେ। ତା ଚାଲିଯିବା ପରେ ପାଗଳପ୍ରାୟ ହୋଇ ଯାଇଥିଲେ ବୁଢ଼ାବୁଢ଼ି ଦୁଇଜଣ। ବଞ୍ଚିବାର ମୋହ ଛାଡ଼ି ଦେଇଥିଲେ। କିନ୍ତୁ, ଭଗବାନ ଯେତେବେଳେ ଦୁଃଖ ଦିଅନ୍ତି ତାର ସମାଧାନ ବି ସେଇ କରନ୍ତି। ପୁଣି ଗତ ଦୁଇବର୍ଷ ତଳେ ଏଇ ଦଙ୍ଗା ଫସାଦରେ ବହୁତ ପରିବାର ପ୍ରଭାବିତ ହୋଇଥିଲେ। ଅନେକ ଶିଶୁ ତାଙ୍କ ବାପା ମା’ଙ୍କୁ ହରାଇଥିଲେ। ସେଇମାନଙ୍କ ଭିତରୁ ଦୁଇଟି ଛୁଆଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ନେଇଛନ୍ତି, ଆଉ ଏବେ ବୁଢ଼ାବୁଢ଼ି ବହୁତ ଖୁସି ଅଛନ୍ତି। ସେଇ ଛୁଆମାନଙ୍କ ଜୀବନ ସହ ନିଜ ଜୀବନକୁ ଗଢ଼ି ତୋଳି, ପୁଅ ବିୟୋଗର ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି।’
ସ୍ତବ୍ଧ ହୋଇଯାଉଥିଲେ ଦୁହେଁ।

ଆଉ କିଛି ପଚାରିବା ପୂର୍ବରୁ ପହଞ୍ଚିଯାଇଥିଲା ଶିକାରାବାଲାଟି ଧଇଁସଇଁ ହୋଇ। ଗୋଟେ ହାତରେ କାଂଗଡି ଆଉ ଅନ୍ୟ ହାତରେ ପିତ୍ତଳ ଜଗ୍‌ରେ କାୱା। ହସ ହସ ମୁହଁରେ ଶିକାରା ଆଡ଼କୁ ଡାକି ନେଇଯାଇଥିଲା ଦୁହିଁଙ୍କୁ। ଶିକାରାରେ ବସାଇ ଜଗ୍‌ରୁ ଗରମ ଗରମ କାୱା ଗ୍ଲାସ୍‌ରେ ଭରି ବଢ଼ାଇଦେଇଥିଲା ଦୁଇଜଣଙ୍କୁ, ଆଉ ହସି ହସି କହିଥିଲା, ‘ଆଜ୍ଞା ମୋ ଘର ଏଇ ପାଖରେ। ତେଣୁ ଭାବିଲି ଆପଣମାନଙ୍କୁ ଆମ ଚା ଟିକିଏ ପିଆଇ ଦିଏ।’

ଗ୍ଲାସ୍‌ରୁ ସ୍ବାଦିଷ୍ଠ କାୱା ପିଇବା ସହ ସ୍ଥାଣୁ ପରି ଚାହିଁ ରହିଥିଲେ ଶିକାରାବାଲାଟିର ଦୀପ୍ତିମୟ ହସ ହସ ମୁହଁଟିକୁ। ସବୁକିଛି ହରାଇବା ପରେ ବି କେତେ ପୂର୍ଣ୍ଣତା ଅଛି ତା ଜୀବନରେ। ତା ମୁହଁରେ ପ୍ରତିଫଳିତ ହେଉଛି ତାର ସୁନ୍ଦର ଆତ୍ମା। କ୍ଳେଶହୀନ ହସ ହସ ମୁହଁ, ନାହିଁ କାହା ପ୍ରତି ଦ୍ବେଷ ଅବା ବିଦ୍ବେଷ। ହସି ହସି କାଶ୍ମୀରର ଏକ ସୁମଧୁର ଛବି ଆଙ୍କି ଦେଉଛି ପର୍ଯ୍ୟଟକମାନଙ୍କ ମନରେ। ତା’ କଥାକୁ ଆହୁରି ଆଗ୍ରହରେ ଶୁଣୁ ଶୁଣୁ କେତେବେଳେ ଶିକାରାଟି କୂଳରେ ଲାଗିଯାଇଥିଲା। ମନ ହେଉଥିଲା ଆହୁରି କିଛି ସମୟ ପାଇଁ ରହି ତାକୁ ଶୁଣିବା ପାଇଁ, ତା ସହିତ ଆଉ କିଛି ସୁନ୍ଦର ମୁହୂର୍ତ୍ତ କାଟିଦେବା ପାଇଁ। ବିଦାୟ ବେଳେ ହସି ହସି ରେହେମାନ କହିଥିଲା- ‘ସାର୍‌, ମ୍ୟାଡମ୍‌, ଆଉ କେବେ ଆସିଲେ ଆହୁରି ବୁଲାଇବି। ଏବେ ଛୁଆଙ୍କୁ ସ୍କୁଲ୍‌ରୁ ଆଣିବାକୁ ଯିବି।’ ଓହ୍ଲାଇ ପଡ଼ିଥିଲେ ଦୁହେଁ ଶିକାରାବାଲାଟିର ହାତ ଧରି। ତା ହାତରେ କିଛି ଟଙ୍କା ଧରାଇ ଦେଇଥିଲେ। ମନା କରି ସେ ଫେରାଇ ଦେଉଥିଲା। କିନ୍ତୁ ଜବରଦସ୍ତି ଛୁଆଙ୍କ ପାଇଁ ମିଠାଇ ନେଇଯିବ ବୋଲି କହି ଗୁଞ୍ଜି ଦେଇଥିଲେ ତା ହାତରେ। ହାତ ଯୋଡ଼ି ବିଦାୟ ଦେଇଥିଲେ ଶିକାରାବାଲାଟିକୁ ଅଶ୍ରୁପୂର୍ଣ୍ଣ ଆଖିରେ।