ଓଡ଼ିଶା ରାଜସ୍ବ ବଳକା: ଚକ୍‌ମା ଦେଖାଉଛନ୍ତି

ଭୁବନେଶ୍ବର : କଥା କଥାକେ ସରକାର ଦାବି କରୁଛନ୍ତି ଯେ ଓଡ଼ିଶା ଆଉ ନିଅଣ୍ଟିଆ ନୁହେଁ, ବରଂ ଗୋଟିଏ ରାଜସ୍ୱ-ବଳକା ରାଜ୍ୟ। ହେଲେ ଖୋଦ୍ ସରକାରୀ ପରିସଂଖ୍ୟାନ ଏହା ପଛର ସତ ସାମ୍ନାକୁ ଆଣିଲାଣି। ଓଡ଼ିଶା ବଜେଟ୍‌କୁ ପର୍ଯ୍ୟାଲୋଚନା କଲେ ଦେଖାଯାଉଛି, ଏକପକ୍ଷରେ ସରକାର ରାଜସ୍ବ ବଳକା କହି ବାହାଦୁରୀ ନେଉଛନ୍ତି। ଅନ୍ୟପକ୍ଷରେ ରାଜସ୍ବ ନିଅଣ୍ଟ ବର୍ଷକୁ ବର୍ଷ ବଢ଼ି ଚଳିତ ଆର୍ଥିକ ବର୍ଷ ସୁଦ୍ଧା ୨୧ହଜାର ୫୮୭ କୋଟିକୁ ଟପିଲାଣି। ଏଭଳି ପରସ୍ପର ବିରୋଧୀ ପରିସଂଖ୍ୟାନ ପଛର ରହସ୍ୟକୁ ନେଇ ବିଶାରଦମାନେ ମଧ୍ୟ ଚିନ୍ତାରେ ପଡ଼ିଗଲେଣି। ଗତ କିଛି ବର୍ଷର ତଥ୍ୟ ଆହୁରି କହୁଛି ଯେ ପ୍ରତିବର୍ଷ ମଧ୍ୟଭାଗରେ ଅର୍ଥମନ୍ତ୍ରୀ ବିଧାନସଭାରେ ଯେଉଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରୁଛନ୍ତି, ତା ଠାରୁ ଅଧିକ ବା ପାଖାପାଖି ସେତିକି ଅର୍ଥ ବର୍ଷ ଶେଷକୁ ଖର୍ଚ୍ଚ ହୋଇପାରୁନାହିଁ। ଅର୍ଥାତ୍ ରାଜ୍ୟରେ ଅତିରିକ୍ତ ବଜେଟ୍ ବ୍ୟୟ ବରାଦ ଗୁରୁତ୍ବ ହରାଇଛି। ଏବେ ଏହା ପ୍ରହସନରେ ପରିଣତ ହେଲାଣି।

ଗତ ପାଞ୍ଚବର୍ଷର ତଥ୍ୟକୁ ବିଚାରକୁ ନିଆଗଲେ ଅନେକ ରହସ୍ୟ ଉପରୁ ପରଦା ହଟିବ। ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାକୁ ମିଶାଇ ମୋଟ ୫୩ ହଜାର ୩୬୦ କୋଟି ଟଙ୍କା ସରକାର ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖିଥିଲେ। ମାତ୍ର ମୂଳ ବଜେଟ୍‌ରେ ବରାଦ ଅର୍ଥ ନିଅଣ୍ଟ ପଡ଼ିବ ବୋଲି ଭାବି ଅଫିସରମାନେ ଅତିରିକ୍ତ ବଜେଟ୍‌ରେ ଆଉ ୬୮୧୨ କୋଟି ୭୬ଲକ୍ଷ ଟଙ୍କା ବରାଦ କଲେ। ଅର୍ଥାତ୍ ପୂରା ଆର୍ଥିକ ବର୍ଷରେ ୬୦ହଜାର ୧୭୨ କୋଟି ୭୬ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଗଲା। ମାତ୍ର ବର୍ଷ ଶେଷକୁ ଦେଖାଗଲା ଯେ ୫୦ ହଜାର ୭୫୮ େକାଟି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି ଏବଂ ବିଭିନ୍ନ ବିଭାଗ ହାତରେ ୯ ହଜାର ୪୧୩ କୋଟି ୮୨ଲକ୍ଷ ଟଙ୍କା ବଳକା ରହିଯାଇଛି, ଯାହା ଅତିରିକ୍ତ ବଜେଟ୍‌ ଠାରୁ ପ୍ରାୟ ୧୫୦% ଅଧିକ। ଅନୁରୂପ ଭାବେ ୨୦୧୮-୧୯ ଆର୍ଥିକ ବର୍ଷର ମୂଳ ବଜେଟ୍‌ରେ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦରେ ୬୨ ହଜାର ୨୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଅତିରିକ୍ତ ବଜେଟ୍‌ରେ ପୁଣି ୯୬୧୧ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଖସଡ଼ା ପ୍ରସ୍ତୁତ କଲେ। ପୂରାବର୍ଷରେ ଏହିଭଳି ମୋଟ ୭୧ହଜାର ୮୩୬ େକାଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ନିଆଯାଇଥିଲା। କିନ୍ତୁ ବର୍ଷ ଶେଷର ହିସାବ କହୁଛି, ବିଭାଗମାନେ ୬୦ ହଜାର ୭୭୮ କୋଟି ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଲେ ଏବଂ ୧୧ ହଜାର ୫୭ କୋଟି ୭୫ଲକ୍ଷ (ଅତିରିକ୍ତ ବଜେଟ ପରିମାଣ ଠାରୁ ଅଧିକ) ଟଙ୍କା ବଳକା ରହିଲା।

କେବଳ ଏହି ଦୁଇବର୍ଷ ନୁହେଁ ୨୦୧୯-୨୦ ଆର୍ଥିକ ବର୍ଷ ଶେଷକୁ ଦେଖାଗଲା ଯେ ୧୬ ହଜାର ୮୭୮ କୋଟି ୩୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିନଥିଲା ଏବଂ ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୨୫ ହଜାର ୩୫୬ କୋଟି ୩୬ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ୨୦୨୧-୨୨ ବର୍ଷରେ ବି ୧୩ ହଜାର ୫୧୭ କୋଟି ୭୬ଲକ୍ଷ ଟଙ୍କା ଅଫିସରମାନେ ଖର୍ଚ୍ଚ କରିପାରିନଥିଲେ। ସେବର୍ଷ ଅତିରିକ୍ତ ବଜେଟ୍ ଆକାର ପାଖାପାଖି ସେତିକି (୧୩ହଜାର ୫୬୭ କୋଟି ୭୬ଲକ୍ଷ) ରହିଥିଲା।
ଅର୍ଥନୀତି ବିଶାରଦମାନଙ୍କର ଯୁକ୍ତି ହେଉଛି ଯେ ରାଜସ୍ବ ବଳକା ବୋଲି ସରକାର ଯେଉଁ ଦାବି କରୁଛନ୍ତି, ତାହା ରାଜ୍ୟର ଅର୍ଥନୀତିର ସୁ-ପରିଚାଳନା ଦୃଷ୍ଟିରୁ ଆଦୌ ସ୍ଫୃହଣୀୟ ନୁହେଁ। ବରଂ ଉଭୟ ରାଜସ୍ବ ଖର୍ଚ୍ଚ ଏବଂ ପୁଞ୍ଜି ବ୍ୟୟ ହ୍ରାସ ଏହାର େଗାଟିଏ ବଡ କାରଣ। ପ୍ରତି ଆର୍ଥିକବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ବିଶାଳ ବା ବଢ଼ାଚଢ଼ା ବଜେଟ୍ ପ୍ରସ୍ତୁତ କରି ବାହାବା ଗୋଟାଉଛନ୍ତି। ପୂର୍ବବର୍ଷ ଠାରୁ ଏତିକି ପ୍ରତିଶତ ସେତିକି ପ୍ରତିଶତ ବଜେଟ୍ ଆକାର ବୃଦ୍ଧି ପାଇଲା ବୋଲି ହିସାବ ରଖୁଛନ୍ତି। ହେଲେ ବର୍ଷ ଶେଷର ତଥ୍ୟ କହୁଛି, ବିଭାଗମାନେ ବରାଦ ଅର୍ଥ ଖର୍ଚ୍ଚ କରିବାରେ ଏକରକମ ବିଫଳ।

ସରକାରଙ୍କ ବଜେଟ୍‌ ପୁସ୍ତିକାରେ ଏହି ବିଫଳତା ସ୍ପଷ୍ଟ ଭାବେ ଲେଖାହୋଇଛି। ପ୍ରତିବର୍ଷ ଆକଳନ ଅର୍ଥର ଗୋଟିଏ ବଡ ଭାଗ ଖର୍ଚ୍ଚ ହେଉନଥିବା କଥା ନିଜେ ଅର୍ଥମନ୍ତ୍ରୀ ମଧ୍ୟ ଜାଣନ୍ତି। ଏହାସତ୍ତ୍ବେ ଶତ ପ୍ରତିଶତ ଅର୍ଥ ଖର୍ଚ୍ଚ ଉପରେ ନା ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ନା ମୁଖ୍ୟ ସଚିବ ତାଙ୍କ ପାରଦର୍ଶୀ ଟିମ୍‌ଙ୍କୁ ଏ ଦିଗରେ ସମର୍ଥ କରିପାରୁଛନ୍ତି। ଏ କ୍ଷେତ୍ରରେ ଯେଉଁ କଥାଟି ଅତି ଆଚମ୍ବିତ କଲାଭଳି, ତାହା ହେଉଛି ୧୫ବର୍ଷ ତଳୁ ବିଧାନସଭାର ଅନୁମୋଦନ ଲାଭ କରିଥିବା ଆର୍ଥିକ ଉତ୍ତରଦାୟିତ୍ବ ଓ ବଜେଟ୍ ପରିଚାଳନା ଆଇନ (ଏଫ୍‌ଆର୍‌ବିଏମ୍‌) ଏବେ ବି ରାଜ୍ୟରେ ବଳବତ୍ତର ରହିଛି। ଅଥଚ ବଜେଟ୍‌ ବରାଦ ଅର୍ଥ ଖର୍ଚ୍ଚରେ ବିଫଳ ହୋଇଥିବା ବିଭିନ୍ନ ବିଭାଗର କୌଣସି ଜଣେ ବି ଅଫିସରଙ୍କୁ ଏ ପର୍ଯ୍ୟନ୍ତ ସରକାର ଉତ୍ତରଦାୟୀ କରିନାହାନ୍ତି କିମ୍ବା କେହି ଆଖି ଦୃଶିଆ ଦଣ୍ଡରେ ଦଣ୍ଡିତ ହେବାର ବି ନଜିର ନାହିଁ।

ଅର୍ଥନୀତି ବିଶାରଦମାନେ ଯେଉଁ ଅନ୍ୟ ଯୁକ୍ତି ରଖୁଛନ୍ତି ତାହା ହେଲା- କର୍ମଚାରୀ ସଙ୍କଟ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ବି, ସି ଓ ଡି ବର୍ଗର କର୍ମଚାରୀ ନିଯୁକ୍ତି ଉପରେ େଜାର ଦେଉଛନ୍ତି। ୨୦୧୪ ଅଗଷ୍ଟ ୫ ତାରିଖରୁ ଅର୍ଥ ବିଭାଗ ବିଭିନ୍ନ ବିଭାଗଙ୍କୁ ଚିଠି ଲେଖି ଏସବୁ ବର୍ଗରେ ଖାଲିଥିବା ପଦବି ସଂଖ୍ୟା ପୂରଣ ପାଇଁ ପ୍ରସ୍ତାବ ମାଗିଛନ୍ତି। ୮ବର୍ଷ ହେଲାଣି, ପୂର୍ଣ୍ଣାଙ୍ଗ ତାଲିକା ଆସିପାରିଲା ନାହିଁ। ଓଲଟା ଠିକା ବା ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଚାଲିଛି ଏବଂ ବିଭିନ୍ନ ବିଭାଗରେ ଅବସର ପରେ ବରିଷ୍ଠ ପଦାଧିକାରୀଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତିରୁ ପ୍ରୋତ୍ସାହନ ମିଳୁଛି। ଯେହେତୁ ମୂଳ ପଦବିଗୁଡିକ ଖାଲି ପଡ଼ିଛି ଏବଂ ସରକାର ବଜେଟ୍ ପରିମାଣ ବଢ଼ାଇ ଚାଲିଛନ୍ତି; ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ତୃଣମୂଳସ୍ତରରେ ଏହି ଅର୍ଥ କିଏ ଖର୍ଚ୍ଚ କରିବ?

ଆହୁରି ବଡ଼ କଥା ହେଲା, ରାଜସ୍ବ ନିଅଣ୍ଟ ଥିବା ରାଜ୍ୟ ପାଇଁ ପଞ୍ଚଦଶ ଅର୍ଥ କମିସନ ସ୍ବତନ୍ତ୍ର ଅନୁଦାନ ସୁପାରିସ କରିଥିଲେ। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବା ସହିତ ନିଅଣ୍ଟିଆ ରାଜ୍ୟମାନଙ୍କୁ ବିଭିନ୍ନ କିସ୍ତିରେ ଏହି ରାଶି ନିୟମିତ ବ୍ୟବଧାନରେ ପ୍ରଦାନ କରୁଛନ୍ତି। ଓଡ଼ିଶା କିନ୍ତୁ ନିଜକୁ ବଳକା ରାଜ୍ୟ ବୋଲି ଦେଖାଇବା କାରଣରୁ ଏ ବାବଦ ଅନୁଦାନ ହରାଉଛି।

ଏଠାରେ ଉଲ୍ଲେଖଥାଉକି, ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ମଧ୍ୟ ପୂର୍ବରୁ ତାଙ୍କର ବିଭିନ୍ନ ରିପୋର୍ଟରେ ଓଡ଼ିଶା କିଭଳି ରାଜସ୍ବ ବଳକା ହେଲା, ସେ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି।